ବାଲେଶ୍ୱର : ଲଘୁ ଖଣିଜ ଉତ୍ସ ଚିହ୍ନଟ ଓ ବାଲି ଉତ୍ସ ପରିଚାଳନା ନେଇ କର୍ମଶାଳା
ବାଲେଶ୍ୱର : ବାଲେଶ୍ୱର ସଦ୍ଭାବନା ସମ୍ମିଳନୀ ଗୃହରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଶନିବାର ପୂର୍ବାହ୍ନରେ ଜିଲାର ସମସ୍ତ ତହସିଲଦାର ଓ ଆର୍ଆଇମାନଙ୍କ ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାରେ ଜିଲାପାଳଙ୍କ ସହିତ ଦୁଇ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ଏବଂ ଭବେଶ କୁମାର ନାୟକ, ଡିଏଫ୍ଓ ବିଶ୍ୱରାଜ ପଣ୍ଡା, ବାଲେଶ୍ୱର ଉପଜିଲାପାଳ ଆଶିଷ ଈଶ୍ୱର ପାଟିଲ, ପ୍ରୋବେସନର ଆଇଏଏସ କୁନାଲ ଚୌହାନ, ନୀଳଗିରି ଉପଜିଲାପାଳ ହରିଶ ଚନ୍ଦ୍ର ଜେନା, ଖଣି ଅଧିକାରୀ ସୁରେନ୍ଦ୍ର ନାଥ ସିଙ୍କୋ, ନିର୍ବାହୀ ଯନ୍ତ୍ରୀ ଜଳସେଚନ ପ୍ରମୁଖ ଯୋଗ ଦେଇଥିଲେ ।
ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଜିଲାପାଳଙ୍କ ଦ୍ୱାରା ଏହି କର୍ମଶାଳାର ଉଦ୍ଘାଟନ ପରେ ନୂତନ ଭାବେ ଯୋଗ ଦେଇଥିବା ଅତିରିକ୍ତ ଜିଲାପାଳ ଶ୍ରୀ ନାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ପ୍ରାରମ୍ଭରେ ଅତିରିକ୍ତ ଜିଲାପାଳ ଶ୍ରୀ ମହାପାତ୍ର କର୍ମଶାଳା ଆୟୋଜନର ଆଭିମୁଖ୍ୟ, ପ୍ରଶିକ୍ଷଣ ଓ ଆଲୋଚନାର ପରିସର ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ଲଘୁ ଖଣିଜ ଓ ବାଲି ଉତ୍ସ ଚିହ୍ନଟ, ଉତ୍ତୋଳନ, ପରିବହନ, ଲଘୁ ଖଣିଜ ଚିହ୍ନଟ ନେଇ ସିମେଣ୍ଟ ଖୁଣ୍ଟ ପୋତାଯିବା ଆଦି ନେଇ ପ୍ରଣୟନ ମାର୍ଗଦର୍ଶିକା ସମ୍ବନ୍ଧରେ ସମସ୍ତ ତହସିଲଦାର ଓ ଆର୍ଆଇମାନେ ପୁଙ୍ଖାନୁପୁଙ୍ଖ ଜାଣିବା ଦରକାର ବୋଲି ଜିଲାପାଳ ପ୍ରକାଶ କରିଥିଲେ । ଏହି ଆଧାରରେ ଜିଲାପାଳଙ୍କ ନିକଟକୁ ଆସିଥିବା କେତୋଟି ଅଭିଯୋଗ ଉଦାହରଣ ଦେଇ ଉପୁଜୁଥିବା ସମସ୍ୟା ସବୁର ଦୂରୀକରଣ ପାଇଁ ସମ୍ପୃକ୍ତ ନିୟମାବଳୀର ପ୍ରତ୍ୟେକ ଧାଡ଼ିକୁ ପଢ଼ିବା ଏବଂ ତାର ଅନୁପାଳନ କରିବା ଆବଶ୍ୟକ ବୋଲି ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ଦୃଶ୍ୟ ଓ ଶ୍ରାବ୍ୟ ଫଳକ ମାଧ୍ୟମରେ ଅତିରିକ୍ତ ଜିଲାପାଳ ଶ୍ରୀ ନାୟକ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣଭିତ୍ତିକ ଉପସ୍ଥାପନା ରଖିଥିଲେ । ପ୍ରଶ୍ନୋତ୍ତର ଆଧାରରେ ଏହି ଉପସ୍ଥାପନା ସମସ୍ତଙ୍କ ପାଇଁ ଖୁବ୍ ଉପଯୋଗୀ ଥିଲା ।