ଟେଷ୍ଟ ଫର୍ମାଟ୍ରେ ଦ୍ରୁତ ଅର୍ଦ୍ଧଶତକ ହାସଲ କଲେ ପନ୍ତ
![](https://thetruths.in/wp-content/uploads/2022/03/Rishabh-Pant-1-1024x569.jpg)
ବେଙ୍ଗାଲୁରୁ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଜାରି ରହିଥିବା ଦ୍ୱିତୀୟ ଟେଷ୍ଟରେ ନିଆରା ରେକର୍ଡ କରିଛନ୍ତି ଋଷଭ ପନ୍ତ । ଦ୍ୱିତୀୟ ଇନିଂସରେ ବିସ୍ଫୋରକ ଇନିଂସ ଖେଳି ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ପନ୍ତ । ଏହା ସହିତ ନିଜ ନାଁରେ ସାମିଲ କରିଛନ୍ତି ଆଉ ଏକ ବଡ ରେକର୍ଡ । ଟେଷ୍ଟ ଫର୍ମାଟରେ, ଭାରତ ପକ୍ଷରୁ ଦ୍ରୁତ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ଏବେ ପନ୍ତଙ୍କ ନାଁରେ ହୋଇଯାଇଛି ।
ଶ୍ରୀଲଙ୍କା ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ଜାରି ରହିଥିବା ବେଳେ, ପନ୍ତ ମାତ୍ର ୩୧ ବଲରୁ ୫୦ ରନ କରିଛନ୍ତି । ଯେଉଁଥିରେ ୭ଟି ଚୌକା ଏବଂ ୨ଟି ଛକା ସାମିଲ ଅଛି । ପନ୍ତଙ୍କ ଅର୍ଦ୍ଧଶତକ ଯେ କୌଣସି ଭାରତୀୟ ବ୍ୟାଟର୍ଙ୍କ ଦ୍ୱାରା ସବୁଠାରୁ ଦ୍ରୁତ । ଆରମ୍ଭରୁ ହିଁ ବିସ୍ଫୋରକ ବ୍ୟାଟିଂ କରିଥିଲେ ପନ୍ତ । ଅବଶ୍ୟ ଅର୍ଦ୍ଧଶତକ ହାସଲ କରିବା ପରେ ପରେ ଆଉଟ୍ ହୋଇଛନ୍ତି କିନ୍ତୁ ନିଜ ନାଁ ରେ ଏହି ରେକର୍ଡ ସାମିଲ କରିଛନ୍ତି । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ପ୍ରଥମ ଇନିଂସରେ ୨୫୨ ରନରେ ଅଲଆଉଟ ହୋଇଯାଇଥିଲା ଟିମ୍ ଇଣ୍ଡିଆ । ଜବାବରେ ଶ୍ରୀଲଙ୍କା ମାତ୍ର ୧୦୯ରନରେ ସମସ୍ତ ୱିକେଟ ହରାଇଥିଲା । ଦ୍ୱିତୀୟ ଇନିଂସରେ ଦୃଢ ସ୍ଥିତିରେ ରହିଛି ଭାରତ ।