ଏସସିବିରେ ପୁଣି ଅଘଟଣ: ୪ ମହଲାରୁ ଖସି ରୋଗୀ ମୃତ
କଟକ : ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ ଓ ହାସପାତାଳରେ ପୁଣି ଏକ ଅଘଟଣ ଘଟିଛି । ଏସସିବି କୋଭିଡ କେୟାର ୟୁନିଟ-୧ର ଚାରି ମହଲାରୁ ପଡି ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତକ ଜଣକ ମୟୁରଭଂଜ ଜିଲ୍ଲାର ହରିଆ ସିଂହ ବୋଲି ଜଣାପଡିଛି । ତାଙ୍କର ସାମାନ୍ୟ ମାନସିକ ବିକୃତି ଥିଲା । ରେଗୀଜଣକ ଝରକା ପଟେ ତଳକୁ ଡେଇଁ ପଡିଯାଇଥିବା ଜଣାପଡିଛି । ତେବେ କେଉଁ ପରିସ୍ଥିତିରେ ସେ ଡେଇଁଲେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଆତ୍ମହତ୍ୟା ଉଦ୍ଦେଶ୍ୟରେ ସେ ଡେଇଁ ପଡିଥିବା ସନ୍ଦେହ କରାଯାଉଛି । ସୂଚନାଯୋଗ୍ୟ ଯେ, ହରିଆ ବୁଧବାର ବିଳମ୍ବିତ ରାତି ଏସସିବିର କୋଭିଡ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ । ମୟୁରଭଂଜ ଜିଲ୍ଲାର ଉକ୍ତ ରୋଗୀଙ୍କର କରୋନା ପଜିଟିଭ ଚିହ୍ନଟ ପରେ ସେ କଟକ ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ତେବେ ତାଙ୍କର କେଉଁ ପରିସ୍ଥିତିରେ ୪ ମହଲାରୁ ଝରକା ବାଟେ ଡେଇଁଲେ ସେନେଇ ମେଡିକାଲ କର୍ତ୍ତୃପକ୍ଷ ଖୋଳତାଡ ଜାରି ରଖିଥିବା ଜଣାଯାଇଛି ।