କପିଲ୍ ଦେବଙ୍କ ଖାସ୍ କ୍ଲବରେ ସାମିଲ୍ ହେଲେ ଜାଡେଜା
![](https://thetruths.in/wp-content/uploads/2023/03/Ravindra-Jadeja.jpg)
ଇନ୍ଦୋର : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଥିବା ବର୍ଡର୍ ଗାଭାସ୍କର ଟ୍ରଫି ସିରିଜର ୩ୟ ଟେଷ୍ଟ ବୁଧବାର ଠାରୁ ଆରମ୍ଭ ହୋଇଛି । ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉଥିବା ତୃତୀୟ ମ୍ୟାଚ୍ରେ ଭାରତ ପ୍ରଥମ ଇନିଂସରେ ୧୦୯ ରନରେ ଅଲଆଉଟ୍ ହୋଇଛି। ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୨୨ ରନ କରିଛନ୍ତି। ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୪ ଓ୍ଵିକେଟ୍ ହରାଇ ୧୫୬ ରନ କରିଛି। ତେବେ ବରୀନ୍ଦ୍ର ଜାଡେଜା ଟ୍ରେଭିସ୍ ହେଡ୍ଙ୍କୁ ଆଉଟ୍ କରି ଅଷ୍ଟ୍ରେଲିଆକୁ ପ୍ରଥମ ଝଟକା ଦେଇଥିଲେ। ଏହି ଓ୍ଵିକେଟ୍ ସହ ଜାଡେଜା ଅନ୍ତର୍ଜାତୀୟ କ୍ରିକେଟ୍ରେ ବଡ ଉପଲବ୍ଧି ହାସଲ କରିଛନ୍ତି। ଏହା ପୂର୍ବରୁ ଏହା କେବଳ ଦିଗ୍ଜ କପିଲ୍ ଦେବଙ୍କ ନାମରେ ଥିଲା।
ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍ରେ ଗୋଟିଏ ଓ୍ଵିକେଟ୍ ନେବା ମାତ୍ରେ ଜାଡେଜା ମହାନ ଅଲରାଉଣ୍ଡର କପିଲ୍ ଦେବଙ୍କ କ୍ଲବରେ ସାମିଲ୍ ହୋଇଛନ୍ତି। ଜାଡେଜା ଭାରତର ଦ୍ଵିତୀୟ ଅଲରାଉଣ୍ଡର ହୋଇଛନ୍ତି ଯାହାଙ୍କ ନାମରେ ୫ ହଜାର ରନ ଏବଂ ୫୦୦ ଅନ୍ତର୍ଜାତୀୟ ଓ୍ଵିକେଟ୍ ରହିଛି। ଏହା ପୂର୍ବରୁ ଏହି ଉପଲବ୍ଧି ହାସଲ କରିବାରେ କପିଲ୍ ଦେବ ଏକ ମାତ୍ର ଭାରତୀୟ ଥିଲେ।
ଜାଡେଜା ୬୩ଟି ଟେଷ୍ଟ ମ୍ୟାଚ୍ରେ ୨୬୦ ଓ୍ଵିକେଟ୍ ନେଇଛନ୍ତି ଏବଂ ବ୍ୟାଟିଂରେ ୨୬୨୩ ରନ କରିଛନ୍ତି। ଦିନିକିଆରେ ସେ ୧୭୧ ମ୍ୟାଚ୍ ଖେଳି ୨୪୪୭ ରନ କରିବା ସହ ୧୮୯ ଓ୍ଵିକେଟ୍ ନେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳା ଯାଉଥିବା ଚାରି ମ୍ୟାଚ୍ର ଟେଷ୍ଟ ଶୃଙ୍ଖଳାରେ ଜାଡେଜା ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର। ସେ ଶୃଙ୍ଖଳାରେ ଏ ପର୍ଯ୍ୟନ୍ତ ମୋଟ୍ ୧୮ ଓ୍ଵିକେଟ୍ ନେଇ ସାରିଲେଣି। ସର୍ବାଧିକ ରନ ତାଲିକାରେ ସେ ଷଷ୍ଠ ନମ୍ବରରେ ଅଛନ୍ତି।