ଟି-୨୦ ସିରିଜ୍ ଖେଳିବେନି ରାହୁଲ : ଅଧିନାୟକ ଦାୟିତ୍ୱ ତୁଲାଇବେ ପନ୍ତ
![](https://thetruths.in/wp-content/uploads/2022/06/KL-Rahul-Rishabh-Pant-1024x576.jpg)
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଖେଳିବେନି କେ.ଏଲ୍. ରାହୁଲ । ଆହତ କାରଣରୁ ସେ ପୂରା ସିରିଜ୍ରୁ ବାଦ ପଡ଼ିଛନ୍ତି । ତେଣୁ ତାଙ୍କସ୍ଥାନରେ ୱିକେଟ୍ କିପର ରିଷବ ପନ୍ଥଙ୍କୁ ଭାରତୀୟ ଟିମ୍ର ଅଧିନାୟକ ଭାବେ ଚୟନ କରାଯାଇଛି । ହାର୍ଦ୍ଦିକ ପାଣ୍ଡିଆଙ୍କୁ ଉପ-ଅଧିନାୟକ ଭାବେ ଚୟନ କରାଯାଇଛି । ସେହିପରି ସ୍ପିନର କୁଲଦୀପ ଯାଦବ ମଧ୍ୟ ପୂରା ସିରିଜରୁ ବାଦ ପଡ଼ିଛନ୍ତି । ଆହତ କାରଣରୁ ସେ ବାଦ ପଡ଼ିଥିବା ଜଣାପଡ଼ିଛି । ଫଳରେ ଭାତରୀୟ ଟିମ୍ର ଓପନିଂ କରୁଥିବା ଶୀର୍ଷ ୩ ଖେଳାଳି ସିରିଜରୁ ବାହାର ହୋଇଛନ୍ତି । ପୂର୍ବରୁ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ସିରିଜରୁ ବାଦ କରାଯାଇ ଆରାମ ଦିଆଯାଇଥିଲା । ତେଣେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ସିରିଜରେ ଖେଳିବେନି । ତେଣୁ ଭାରତୀୟ ଟିମ ଏହି ମ୍ୟାଚ୍ ଖେଳି ଜିତିବାରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଛକା, ଚୌକା ବର୍ଷା କରି ଟିମ ଇଣ୍ଡିଆକୁ ଜିତାଇବାର ମୁଖ୍ୟ ଭୂମିକା ନେଉଥିବା ଖେଳାଳିମାନେ ଏହି ସିରିଜରେ ବାଦ ପଡ଼ିବା ଦର୍ଶକଙ୍କୁ ନିରାଶ କରିଛି ।
ବିସିସିଆଇ ପକ୍ଷରୁ ଏ ନେଇ ଟ୍ୱିଇଟ କରି ସୂଚନା ଦିଆଯାଇଛି । କୌଣସି କାରଣ ଯୋଗୁ ରାହୁଲଙ୍କ ଜଙ୍ଘ ଓ ପେଟ ଭିତରେ ଗମ୍ଭୀର ଆଘାତ ଲାଗିଛି । ତେଣେ ନେଟରେ ଅଭ୍ୟାସ କରୁଥିବା ବେଳେ କୁଲଦୀପଙ୍କ ଡାହାଣ ହାତରେ ଆଘାତ ଲାଗିଛି । ଆଗକୁ ଏହି ଦୁଇ ଖେଳାଳି ନ୍ୟାସନାଲ କ୍ରିକେଟ ଏକାଡେମୀ ବାଙ୍ଗାଲୁରୁ (ଏନସିଏ) ପାଖରେ ରିପୋର୍ଟିଂ କରିବେ । ଏଠାରେ ତାଙ୍କ ଫିଟନେସ ଯାଂଚ ପରେ ପରବର୍ତି ଭବିଷ୍ୟତ ନେଇ ସ୍ଥିର ହେବ । ସୂଚନା ଥାଉକି, ଚଳିତ ମାସ ୯ରୁ ୧୯ ତାରିଖ ଯାଏ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ଟିକିଆ ଟି-୨୦ ସିରିଜ୍ ଖେଳାଯିବ । ପ୍ରଥମ ମ୍ୟାଚ୍ ଦିଲ୍ଲୀରେ ଖେଳାଯିବ । ଆସନ୍ତା ୧୨ ତାରିଖରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ ବାରବାଟୀରେ ଖେଳାଯିବ । ଭାରତୀୟ ଟିମ୍ରେ ଖେଳିବାକୁ ଥିବା ଖେଳାଳିମାନେ: ରିଷବ ପନ୍ଥ(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଋତୁରାଜ ଗାଏକୱାଡ୍, ଇଶାନ୍ କିଷନ, ଦୀପକ ହୋଡ୍ଡା, ଶ୍ରେୟସ୍ ଆୟର, ଦୀନେଶ କାର୍ତିକ, ଭେଙ୍କଟେସ୍ ଆୟାର, ୟୁଜୁବେନ୍ଦ୍ର ଚହଲ, ଅକ୍ସର ପଟେଲ୍, ରବି ବିଷ୍ଣୋଇ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ୍, ଆଭେଷ ଖାନ ଓ ଉମ୍ରାନ ମଲ୍ଲିକ ।