ଲକ୍ଷେ ଦୀପଶିଖାରେ ଝଲସିବ ପୁରୀ ବଡ଼ଦାଣ୍ଡ
![](https://thetruths.in/wp-content/uploads/2022/11/Puri-Badadanda-1024x684.jpg)
ସିଂହଦ୍ୱାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଲାଗିବ ଦୀପ
ଦେବ ଦୀପାବଳୀ ଅବସରରେ ମହାମାରୀ ମୁକ୍ତ ବିଶ୍ୱଶାନ୍ତି ପାଇଁ ଅଗ୍ନିହୋତ୍ର ଯଜ୍ଞ ଓ ଦୀପଦାନ
ଭୁବନେଶ୍ୱର : ଚଳିତ ବର୍ଷ ମହାମାରୀ ମୁକ୍ତ ବିଶ୍ୱ ପାଇଁ ଏବଂ ଜଗତ୍କଲ୍ୟାଣ ପାଇଁ ବଡ଼ଦାଣ୍ଡରେ ଦେବ ଦୀପାବଳୀ ପବିତ୍ର ସନ୍ଧ୍ୟାରେ ପୁନର୍ବାର ଦୀପାଞ୍ଜଳି କାର୍ଯ୍ୟକ୍ରମ ଅନ୍ତର୍ଗତ ଆସନ୍ତା ନଭେମ୍ବର ୨୩ ତାରିଖ ବୁଧବାର ଦିନ ସନ୍ଧ୍ୟା ୫ ଘଟିକାରୁ ୭ ଘଟିକା ମଧ୍ୟରେ ସିଂହଦ୍ୱାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଦୀପ ଲଗାଯିବ । ଓଡ଼ିଶା ଇଂଟରନ୍ୟାସ୍ନାଲ୍ ସେଂଟର ପକ୍ଷରୁ ଆଜି ଭୁବନେଶ୍ୱରସ୍ଥିତ ସାମ୍ବାଦିକ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦୀପଦାନ କାର୍ଯ୍ୟକ୍ରମର ଅଧ୍ୟକ୍ଷ ଓଡ଼ିଶାର ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ତଥା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଉପକୁଳପତି ଡକ୍ଟର (ପ୍ରଫେସର) ଅଶୋକ କୁମାର ମହାପାତ୍ର, ଉପାଧ୍ୟକ୍ଷ ତଥା ବିଶିଷ୍ଟ କବି ଓ ସମାଜସେବୀ ଶଙ୍କର ପରିଡ଼ା ଏବଂ ଦୀପଦାନ କମିଟିର ବରିଷ୍ଠ ଉପଦେଷ୍ଟା ତଥା ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଏହି ସୂଚନା ଦେଇଛନ୍ତି ।
ଛତିଶା ନିଯୋଗର ସେବାୟତମାନଙ୍କ ତତ୍ୱାବଧାନରେ ଶ୍ରୀମନ୍ଦିର ଭିତରୁ ଦୀପ ଆସି ବଡ଼ଦାଣ୍ଡରେ ଦୀପାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଦୀପଦାନ କାର୍ଯ୍ୟକ୍ରମ ପାଇଁ ୫୦ଟିଣ ଘିଅ ଓ ୧୦୦ ଟିଣ ତେଲ ବ୍ୟବହାର କରାଯିବ । ବିଭିନ୍ନ ମହାମାରୀରୁ ମାନବ ଜାତିକୁ ରକ୍ଷା କରିବା ପାଇଁ ନଭେମ୍ବର ୨୩ ତାରିଖ ଦିନ ପୂର୍ବାହ୍ନ ୧୦ଘଟିକା ସମୟରେ ପୁରୀ ବଡ଼ଦାଣ୍ଡସ୍ଥିତ ଗୁଣ୍ଡିଚା ମନ୍ଦିର ନିକଟ ରାଣୀସତୀ ମଣ୍ଡପଠାରେ ଶ୍ରୀ ଅଚ୍ୟୁତାୟ ନମଃ ଶ୍ରୀ ଅନନ୍ତାୟ ନମଃ ଏବଂ ଶ୍ରୀ ଗୋବିନ୍ଦାୟ ନମଃ ମନ୍ତ୍ର ୧୦୮ଥର ଜପ କରିବା ସହିତ ଅଗ୍ନିହୋତ୍ର ଯଜ୍ଞର ଆୟୋଜନ କରାଯିବ । ଉକ୍ତ ଦିନ ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିରରେ ଦୀପଦାନ କରିବାକୁ କାର୍ଯ୍ୟକ୍ରମର ସଭାପତି ଶ୍ରୀଯୁକ୍ତ ରମେଶ କୁମାର କେଜିରୱାଲ୍ ଅନ୍ୟତମ ବରିଷ୍ଠ ଉପଦେଷ୍ଟା ପ୍ରଶାନ୍ତ କୁମାର ସାହୁ, ସାମ୍ବାଦିକ ସମ୍ମିଳନୀରେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଓଡ଼ିଶାର ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ ତଥା ଭାଷ୍ୟକାର ହରିହର କାନୁନ୍ଗୋ ଏବଂ ବିଶିଷ୍ଟ ସମାଜସେବୀ ସୁଦର୍ଶନ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ଯୋଗଦାନ କରି ଦେବ ଦୀପାବଳୀ ଉତ୍ସବର ମହତ୍ୱ ଏବଂ ତତ୍ ସହିତ ଦୀପଦାନ ବିଶେଷତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଓଡ଼ିଶା ଇଂଟରନ୍ୟାସ୍ନାଲ୍ ସେଂଟରର ପରିଚାଳନା ଟ୍ରଷ୍ଟି ତଥା ଦୀପଦାନ କମିଟିର ଆବାହକ ଭାବଗ୍ରାହୀ ଶାନ୍ତି ଏବଂ ସଭାପତି ରତିକାନ୍ତ ପାଢୀ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଓଡ଼ିଶାର ସମସ୍ତ ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କର ଆନ୍ତରିକ ସହଯୋଗ କାମନା କରିଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ପୁରୀ ସିଂହଦ୍ୱାରଠାରେ ଦୀପାଞ୍ଜଳି କାର୍ଯ୍ୟକ୍ରମ ପାଇଁ ବିଶେଷ ଭାବରେ ନିର୍ମିତ ମାଟି ଦୀପର ଉନ୍ମୋଚନ ଅନୁଷ୍ଠାନର ଅଧ୍ୟକ୍ଷ ଅଶୋକ ମହାପାତ୍ର ଏବଂ ଅନ୍ୟ ଅତିଥିମାନଙ୍କ ଦ୍ୱାରା ହୋଇଯାଇଛି । ଏହି ଦୀପ ବିଶିଷ୍ଟ ତୈଳଚିତ୍ର ଶିଳ୍ପୀ ତଥା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପକ ସୁନାରାମ ସିଂହଙ୍କ ଦ୍ୱାରା ଡିଜାଇନ୍ କରାଯାଇଅଛି । ଏହି ସାମ୍ବାଦିକ ସମ୍ମଳନୀରେ ଓଡ଼ିଶା ଇଂଟରନ୍ୟାସ୍ନାଲ୍ ସେଂଟରର କର୍ମକର୍ତା ତଥା ଟ୍ରଷ୍ଟୀ ଚନ୍ଦ୍ରଶେଖର ସିଙ୍ଗୋଟି, କୁମୁଦିନୀ ପଣ୍ଡା ତଥା ଅନ୍ୟ ସମସ୍ତ କର୍ମକର୍ତା ଏହି ସାମ୍ବାଦିକ ସମ୍ମିଳନୀ ଉପସ୍ଥିତ ଥିଲେ ।