ବିଶ୍ୱାସଘାତକତାର ଶାସ୍ତି
ବହୁବର୍ଷ ତଳର କଥା । ଗୋଟିଏ ବରଗଛ ଉପରେ ଦୁଇଟି ଚଢ଼େଇ ବସା ବାନ୍ଧି ରହିଥିଲେ । ସେମାନେ ଦି’ଜଣ ଭଲ ସାଙ୍ଗ ଥିଲେ । ଦିନେ କଳା ବିରାଡ଼ିଟିଏର ନଜର ସେମାନଙ୍କ ଉପରେ ପଡ଼ିଲା । ସେ ଦୁଇଜଣଙ୍କୁ ଖାଇବା ପାଇଁ ବିରାଡ଼ି ଭାବିଲା । ଚଢ଼େଇ ଦିହେଁ ଭାରି ଚତୁର ଥିଲେ । ଜଣେ ଶୋଇଲେ ଜଣେ ଜଗି ରହୁଥିଲା । ତେଣୁ ବିରାଡ଼ିର ସମସ୍ତ ଉଦ୍ୟମ ପଣ୍ଡ ହେବା ଯୋଗୁଁ ସେ ନୂଆ ଫନ୍ଦି ପାଞ୍ଚିଲା । ଦିନେ ଚଢ଼େଇ ଦୁହିଁଙ୍କୁ ଭାରି ଭୋକ ଲାଗିଲା । ଜଣେ କହିଲା- ତମେ ଏଠି ଅଣ୍ଡା ସବୁକୁ ଜଗିଥାଅ । ମୁଁ ଖାଇବା ବନ୍ଦୋବସ୍ତ କରି ଆଣିଲେ ଏକାଠି ଖାଇବା । ଆର ଚଢ଼େଇଟି ରାଜି ହେଲା । ସେ ଦିନ ଚଢ଼େଇ ବହୁତ ବାଟ ଖୋଜିବା ପରେ ଯାଇ ତାକୁ କିଛି ଖାଦ୍ୟ ମିଳିଲା । ଏତେ ଭୋକରେ ଫେରିବା ପାଇଁ ଶକ୍ତି ନଥିବାରୁ ସେ ଅଳ୍ପ କିଛି ଖାଦ୍ୟ ଖାଇଲା । ଦୂରରୁ ଏହାକୁ ବିରାଡ଼ି ଦେଖୁଥିଲା ।
ବିରାଡ଼ିଟି ତୁରନ୍ତ ଆସି ଆର ଚଢ଼େଇକୁ କହିଲା- ଆରେ ତୁ ତ ବୋକୀଟା । ତୋ ସାଙ୍ଗ ତୋତେ ଅଣ୍ଡା ଜଗାଇଦେଇ ସେଠି ନଈକୂଳରେ ମନଭରି ଖାଉଚି । ତୁ ଏଠି ଭୋକରେ ପଡ଼ିଛୁ । ଏକଥାରେ ବିଶ୍ୱାସ ନହେଲେ ମଧ୍ୟ ବିରାଡ଼ି କଥା ଶୁଣି ସେ ନଈକୂଳକୁ ଯାଇ ଦେଖିଲା ଯେ, ତା’ର ସାଙ୍ଗ ଖାଇସାରି ନଈରୁ ପାଣି ପିଉଛି । ନିଜ ସାଙ୍ଗର ଏପରି କାମ ଦେଖି ସେ ଖୁବ୍ ରାଗିଗଲା ଏବଂ ବିରାଡ଼ି ସହିତ ତା’ପରେ ମିତ ବସିଲା । ବିରାଡ଼ି ଭାବିଲା- ଏଥର ତା’ ଆଶା ପୂରଣ ହେବ । ଦିନେ ଚଢ଼େଇଟି ଶୋଇଥିବା ସମୟରେ ଆର ଚଢ଼େଇଟି ନିଜ ନୂଆ ବନ୍ଧୁ ବିରାଡ଼ିକୁ ଡାକିଆଣି ତା’କୁ ମାରିବା ପାଇଁ କହିଲା । ବିରାଡ଼ି ମଧ୍ୟ ଚତୁରତାର ସହ ଗଛ ଉପରକୁ ଆସି ଚଢ଼େଇକୁ ମାରି ଦେଲା ଏବଂ ଖାଇଲା । ଏଥର ସେ ହଠାତ୍ ବୁଲିପଡ଼ି ବନ୍ଧୁ କରିଥିବା ଚଢ଼େଇକୁ ମଧ୍ୟ ମାଡ଼ି ବସିଲା । ଚଢ଼େଇ ଏହା ଦେଖି କହିଲା- ଏ କ’ଣ କରୁଛ? ତୁମେ ପରା ମୋ ବନ୍ଧୁ । ବିରାଡ଼ି ଏକଥା ଶୁଣି କହିଲା- ଆରେ ବୋକୀ, ତୁ ନିଜ ସାଙ୍ଗକୁ ଅବିଶ୍ୱାସ କରି ତ ବଡ଼ ଭୁଲ୍ କରିଛୁ । ତା’ ଫଳ ତୋତେ ଭୋଗିବାକୁ ପଡ଼ିବ । ବିରାଡ଼ି ସେ ଚଢ଼େଇକୁ ମଧ୍ୟ ମାରି ଖାଇଗଲା ।