ଟେଷ୍ଟ ରିପୋର୍ଟ ନେଗେଟିଭ୍ ପରେ କୋଭିଡ୍ ଲକ୍ଷଣ ଦେଖାଦେଲେ ପ୍ରୋଟୋକଲ୍ ଆଧାରରେ ଚିକିତ୍ସା ହେବା ଉଚିତ୍ : ଏମ୍ସ ନିର୍ଦ୍ଦେଶକ
ନୂଆଦିଲ୍ଲୀ ୨୮।୦୪: କରୋନାର ଦ୍ଵିତୀୟ ଲହରରେ ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ସଂକ୍ରମଣ ଥମିବାର ନାଁ ମଧ୍ୟ ନେଉନାହିଁ। ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି, ଯଦି ଆରଟି ପିସିଆର ଯାଞ୍ଚରେ ରିପୋର୍ଟ ନେଗେଟିଭ୍ ଆସୁଛି ଏବଂ ଏହା ପରେ ମଧ୍ୟ ଲକ୍ଷଣ ଦେଖାଯାଉଛି ତେବେ ସତର୍କ ରହିବା ବହୁ ଜରୁରୀ। କାରଣ କରୋନାର ନୂତନ ଷ୍ଟ୍ରେନ କୋଭିଡ୍ ପାଇଁ ନିର୍ଦ୍ଧାରିତ ଆରଟି ପିସିଆର ଟେଷ୍ଟକୁ ମଧ୍ୟ ଚକମା ଦେଉଛି। ଫଳରେ ଫଲ୍ସ ନେଗେଟିଭ୍ଙ୍କ ସଂଖ୍ୟା ବଢିବାରେ ଲାଗିଛି। ଅନେକ ମାମଲାରେ ଲକ୍ଷଣ ଥିବା ପରେ ବି ରିପୋର୍ଟ ନେଗେଟିଭ୍ ଆସୁଛି।
ଏହା ଉପରେ କୋଭିଡ୍-୧୯ ଟାକ୍ସ ଫୋର୍ସର ସଦସ୍ୟ ତଥା ଏମ୍ସ ନିର୍ଦ୍ଦେଶକ ଡ. ଗୁଲେରିଆ କହିଛନ୍ତି, ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବା ପରେ ବି ଯେଉଁ ଲୋକଙ୍କଠାରେ କୋଭିଡ୍ ଲକ୍ଷଣ ଦେଖାଯାଉଛି, ସେମାନଙ୍କ ଚିକିତ୍ସା ପ୍ରୋଟୋକଲ୍ ଆଧାରରେ ହେବା ଉଚିତ୍। କୋଭିଡ୍ର ଏହି ଷ୍ଟ୍ରେନ୍ ବହୁତ ଘାତକ। ଯଦି କୌଣସି ବ୍ୟକ୍ତି ସଂକ୍ରମିତଙ୍କ ସଂସ୍ପର୍ଶରେ ୧ ମିନିଟ୍ ଆସିଲେ ସେ ମଧ୍ୟ ସଂକ୍ରମିତ ହେଉଛନ୍ତି। ସେ କହିଛନ୍ତି ଯେ, କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଟେଷ୍ଟ ରିପୋର୍ଟ ଆସିବାରେ ବିଳମ୍ବ ଘଟୁଛି। ଏମିତି କେସ୍ରେ ଡାକ୍ତରମାନେ କ୍ଲିନିକୋ-ରେଡିଓଲଜିକଲ ଡାଏଗ୍ନୋସିସ୍ କରନ୍ତୁ। ଯଦି ସିଟି ସ୍କାନରେ କରୋନା ଲକ୍ଷଣ ଦେଖିବାକୁ ମିଳୁଛି ତେବେ କୋଭିଡ୍ ପ୍ରୋଟୋକଲ୍ ଅନୁଯାୟୀ ଚିକିତ୍ସା ଆରମ୍ଭ କରନ୍ତୁ। ଉଲ୍ଲେଖନୀୟ କୋଭିଡ୍ ଲକ୍ଷଣରେ ସ୍ଵାଦ ଏବଂ ଗନ୍ଧ ବାରି ନପାରିବା, ଥକାପଣ, ଜ୍ଵର ଓ ଥଣ୍ଡା ଲାଗିବା, ଏସିଡିଟି କିମ୍ବା ଗ୍ୟାସ୍ ଅସୁବିଧା, କାଶ ଆଦି ସାମିଲ।