ପୁଣି କମିଲା ସୁନା ଦାମ

ନୂଆଦିଲ୍ଲୀ : ପୁଣି କମିଲା ସୁନା ଦାମ। ଲଗାତାର ତୃତୀୟ ଦିନ ହେଲା ସୁନା ଦାମ କମିଥିବା ଜଣାପଡ଼ିଛି। ବୁଧବାର ୪୩୩ ଟଙ୍କା ସୁନା ଶସ୍ତା ହୋଇ ପ୍ରତି ୧୦ ଗ୍ରାମକୁ ୪୬,୯୫୦ ଟଙ୍କାରେ ପହଞ୍ଚିଛି । ଇଣ୍ଡିଆାନ୍ ବୁଲିୟନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ ଓ୍ବେବ୍ସାଇଟ୍ ଅନୁସାରେ ଚଳିତ ସପ୍ତାହରେ ସୁନା ଏବେ ସୁଦ୍ଧା ୮୫୬ ଟଙ୍କା ଶସ୍ତା ହୋଇଛି। ଅନ୍ୟପଟେ ଏମସିଏକ୍ସ ଅନୁସାରେ ଦ୍ଵିପ୍ରହର ୨ଟା ବେଳକୁ ସୁନା ୪୬,୯୭୪ ଟଙ୍କାରେ ଟ୍ରେଡ୍ ହେଉଥିଲା।
ଏହାରି ଭିତରେ ଏକ୍ସପୋଟର୍ସଙ୍କ କହିବା କଥା ହେଲା ସୁନା ଦାମ କମ୍କୁ ନେଇ ଚର୍ଚ୍ଚା ହେଉଥିବା ବେଳେ ସୁନା ଦାମ ୫୫ରୁ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ। ଏହା ସହ ରୁପା ଦାମ ୭୧୯ ଟଙ୍କା କମିଥିବା ବେଳେ ବୁଧବାର ଏହାର ଦାମ କିଲୋ ପ୍ରତି ୬୭,୮୪୬ ଟଙ୍କା ହୋଇଛି। ଚଳିତ ସପ୍ତାହରେ ରୁପା ୧୩୦୦ ଟଙ୍କା ଶସ୍ତା ହୋଇଛି। କିନ୍ତୁ ଚଳିତ ମାସରେ ରୁପା ୭୦୦୦୦ ଟଙ୍କା ପ୍ରତି କିଲୋ ପହଞ୍ଚିଥିଲା।ଅନ୍ତର୍ଜାତୀୟ ବଜାରରେ ସୁନା ଦାମ ବଢ଼ିବାରେ ଲାଗିଛି। ଏକ ଆଉନ୍ସ ସୁନାର ଦାମ ୧୭୭୧ ଆମେରିକୀୟ ଡଲାର ରହିଛି। ୨୭ ଏପ୍ରିଲ୍ରେ ଏହି ଦାମ ୧୭୮୦ ଡଲାର ପାର କରିଥିଲା। ଆଇଆଇଏଫ୍ଏଲ୍ ସିକ୍ୟୁରିଟିଜ୍ର ଉପ ସଭାପତି (କମୋଡିଟି ଆଣ୍ଡ କରେନ୍ସି) ଅନୁଜ ଗୁପ୍ତାଙ୍କ ଅନୁସାରେ କରୋନା ଯୋଗୁ ବିଶ୍ବରେ ଅନିଶ୍ଚିତତା ସୃଷ୍ଟି ହୋଇଛି। ଏହାର ଫାଇଦା ସୁନାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଆଗାମୀ ମାସରେ ସୁନା ଦାମ ପୁଣି ଥରେ ୫୫ ହଜାର ଟଙ୍କା ଉପରକୁ ଯାଇପାରେ ବୋଲି ସେ କହିଛନ୍ତି । କେଡିଆ କମୋଡିଟି ନିର୍ଦେଶକ ଅଜୟ କେଡିଆଙ୍କ ମତରେ ଯଦି ସ୍ଥିତି ଏମିତି ରହିଲା ତେବେ ସୁନା ଦାମ ଆଗାମୀ ୫-୬ ମାସରେ ୬୦ ହଜାର ପାର କରିପାରେ।