ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କଲେ ମହାମହିମ ରାଷ୍ଟ୍ରପତି
![](https://thetruths.in/wp-content/uploads/2022/11/President-Draupadi-Murmu-in-Srimandir-1024x576.jpeg)
ବଳଗଣ୍ଡିରୁ ଚାଲି ଚାଲି ଯିବାବେଳେ ଜୟ ଜଗନ୍ନାଥ ଧ୍ୱନୀରେ କମ୍ପିଲା ବଡ଼ଦାଣ୍ଡ
ପୁରୀ : ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ଭାବପୂର୍ଣ୍ଣ ଭକ୍ତିମୟ ପରିବେଶ ମଧ୍ୟରେ ଚାଲି ଚାଲି ବଳଗଣ୍ଡି ଠାରୁ ବଡ଼ ଦେଉଳ ପର୍ଯ୍ୟନ୍ତ ଯିବା ସମୟରେ ଜୟ ଜଗନ୍ନାଥ ଧ୍ୱନୀରେ ବଡ଼ଦାଣ୍ଡ କମ୍ପିଥିଲା । ତାଳବଣିଆ ହେଲିପ୍ୟାଡ଼ ଠାରେ ପୂର୍ବାହ୍ନ ୧୧ଟା ୪୫ ଠାରେ ବାୟୁସେନା ହେଲିକ୍ୟାପ୍ଟର ଯୋଗେ ପହଂଚିବା ପରେ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ସେଠାରୁ କଡ଼ାସୁରକ୍ଷା ମଧ୍ୟରେ ବୁଲେଟ୍ପ୍ରୁଫ୍ କାର୍ଯୋଗେ ସୁବାଷ ବୋଷ ଛକ ଓ ଭିଆଇପି ରୋଡ଼ ଦେଇ ମେଡ଼ିକାଲ ଛକ ବଡ଼ଦଣ୍ଡରେ ପହଂଚିିଥିଲେ ।
ସାଲବେଗ ପୀଠ ପୂର୍ବରୁ ମହାମହିମ ରାଷ୍ଟ୍ରପତି ଗାଡ଼ିରୁ ଓହ୍ଲାଇ ପତିତପାବନ ନୀଳଚକ୍ରକୁ ଦେଖି ଭକ୍ତିଭାବ ସହ ପ୍ରଣିପାତ କରିଥିଲେ । ସେଠାରୁ ଚାଲି ଚାଲି ଯିବା ସମୟରେ ବଡ଼ଦାଣ୍ଡ ଦୁଇପାଶ୍ୱର୍ରେ ହଜାର ହଜାର ଲୋକଙ୍କୁ ହାତ ହଲାଇ ସ୍ୱାଗତ କରିବା ସହ ସ୍କୁଲ ପିଲାଙ୍କ ସହ ହାତ ମିଳାଇ ସିଂହଦ୍ୱାର ଠାରେ ପହଂଚିଥିଲେ । ହଠାତ୍ ରାଷ୍ଟ୍ରପତି ଗାଡ଼ିରୁ ଓହ୍ଲାଇବା ଯୋଗୁ ସୁରକ୍ଷା କର୍ମୀ ହତବାକ୍ ହୋଇଯାଇଥିଲେ । ସୁରକ୍ଷାକର୍ମୀ ଦୁଇପାଶ୍ୱର୍ରେ ରହି ରାଷ୍ଟ୍ରପତିଙ୍କ ସହ ଚାଲିଥିଲେ ।
ସିଂହଦ୍ୱାର ଓ ବଡ଼ଛତା ମଠ ପାଖରେ ପହଂଚିବା ପରେ ସେଠାରେ ତାଙ୍କୁ ଗଜପତି ମହାରାଜା ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବ୍ରିକମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, କୌଳିକ ପଣ୍ଡା ଓ ସେବାୟତମାନେ ତାଙ୍କୁ ସ୍ୱାଗତ କରିଥିଲେ । ସେଠାରେ ନିର୍ମିତ ସ୍ୱତନ୍ତ୍ର ବିଶ୍ରାମସ୍ଥଳରେ ଟିକିଏ ବସିବା ପରେ ଅରୁଣସ୍ତମ୍ଭ ନିକଟକୁ ଯାଇ ମୁଣ୍ଡିଆ ମାରି ପ୍ରଣିପାତ କରିଥିଲେ । ପରେ ହାତପାଦ ପ୍ରଖାଳନ କରିବା ସହ ମୁଣ୍ଡରେ ପାଣି ସିଂଚି ସିଂହଦ୍ୱାର ଦେଇ ପତିତପାବନଙ୍କୁ ମୁଣ୍ଡିଆ ମାରିଥିଲେ । ସେଠାରୁ ବାଇଶପାହଚ ଦେଇ ସାତପାହଚ ଦେଇ ଗରୁଡ଼ସ୍ତମ୍ଭ ନିକଟରେ ମୁଣ୍ଡିଆ ମାରିଥିଲେ । ସେଠାରୁ ବାହାରକାଠ ଓ ଭିତରକାଠ ଦେଇ ଚତୁର୍ଦ୍ଧାମୂର୍ତିଙ୍କୁ ଦେଶର ମଙ୍ଗଳକାମନା କରି ପ୍ରଣିପାତ କରିଥିଲେ । ଏହି ସମୟରେ ୧୦୮ ତୁଳସୀ ମାଳ ତିନିଠାକୁରଙ୍କୁ ପୂଜାପଣ୍ଡା ଲାଗି କରାଇଥିଲେ । ପରେ ବେହେରଣ ଦ୍ୱାର ଦେଇ ମୁକ୍ତିମଣ୍ଡପକୁ ଆସି ମୁଣ୍ଡିଆ ମାରିଥିଲେ ।
ମା ବିମଳାଙ୍କୁ ଦର୍ଶନ କରି ସାକ୍ଷୀଗୋପାଳ ମନ୍ଦିର ଓ ପରେ ମହାଲକ୍ଷ୍ମୀଙ୍କ ଦର୍ଶନ କରି ୧୦୮ ପଦ୍ମଫୁଲ ମାଳ ମହାଲକ୍ଷ୍ମୀଙ୍କୁ ପଣ୍ଡା ଲାଗି କରିଥିଲେ । ସେଠାରୁ ଚନ୍ଦନ ଚକଡ଼ାରେ ନୀଳଚକ୍ରଙ୍କୁ ପ୍ରଣିପାତ କରିବାପରେ ନୀଳଚକ୍ର ଲାଗି ବାନା ସେବାୟତମାନେ ପ୍ରଦାନ କରିଥିଲେ । ପରେ ବାଇଶପାହାଚ ଦେଇ ସିଂହଦ୍ୱାର ଆସିଥିଲେ । ସେବାୟତ ଓ ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଜଗନ୍ନାଥଙ୍କ ଫଟୋ ଓ ପଟ୍ଟଚିତ୍ର ପ୍ରଦାନ କରିଥିଲେ । ସିଂହଦ୍ୱାର ନିକଟରେ ଥିବା ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟର୍ପଣ କରିଥିଲେ । ତାଙ୍କ ସହିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ମାଲ୍ୟର୍ପଣ କରିଥିଲେ । ମନ୍ଦିର ଭିତରେ କୌଳିକ ପଣ୍ଡାଙ୍କ ଖାତାରେ ଭାବପୂର୍ଣ୍ଣ ଲେଖା ଲେଖିଥିଲେ । ଚତୁର୍ଦ୍ଧାମୁର୍ତିଙ୍କୁ ଦର୍ଶନ କରି ନିଜକୁ ସୌଭାଗ୍ୟବତୀ ଭାବେ ମନେ କରିଥିଲେ । ଏହି ଦର୍ଶନ ଥିଲା ବିରଳ ଓ ଦିବ୍ୟ ଅନୁଭୂତି ପୂର୍ଣ୍ଣ । ମହାପ୍ରଭୁ ଦାରୁଦେବତା ଆଦିବାସୀମାନଙ୍କ ଠାକୁର । ଏହାସହ ବିଶ୍ୱ ବ୍ରହ୍ମାଣ୍ଡର ଠାକୁର । ମାନବ ଜାତିର କଲ୍ୟାଣ ପାଇଁ ରାଷ୍ଟ୍ରପତି ପ୍ରାର୍ଥନା କରିଥିଲେ । ଆମ ଦେଶର ଅଭିବୃଦ୍ଧି ଓ ବିକାଶର ଶୀର୍ଷରେ ପହଂଚିବା ପାଇଁ କାମନା କରିଥିଲେ । ଶ୍ରୀମନ୍ଦିରରୁ ଫେରିବା ପରେ ରାଜଭବନ ଯାଇ ମହାପ୍ରସାଦ ସେବନ କରିଥିଲେ ।
ମହାପ୍ରସାଦ ସେବନ ସମୟରେ ଗଜପତି ମହାରାଜା, ମହାରାଣୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଗୁରୁ ପ୍ରଜ୍ଞାନାନନ୍ଦଜୀ, ରାଷ୍ଟ୍ରପତିଙ୍କ କନ୍ୟା ଓ ଅନ୍ୟ ଅତିଥିମାନେ ରହିଥିଲେ । ପରେ ରାଜଭବନ ପଛପଟ ବେଳାଭୂମିରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ଜଗନ୍ନାଥଙ୍କ ବାଲୁକାକଳା ଦେଖିବା ସହ ଫଟୋ ଉଠାଇଥିଲେ । ପରେ ରାଜଭବନରେ ରାଷ୍ଟପତିଙ୍କୁ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ରାଷ୍ଟ୍ରପତି ଶ୍ରୀମନ୍ଦିରକୁ ଆସିବା ଓ ଫେରିବା ସମୟରେ ସାରଙ୍ଗଯୋଡ଼ିର ମା’ ମଙ୍ଗଳା ମେଢ଼ନୃତ୍ୟ ଦ୍ୱାରା ଦୁର୍ଗା, ଗଣେଶ ଓ କାଳୀନୃତ୍ୟ ପରିବେଷଣ କରାଯାଇଥିଲା । ମାର୍କେଟ ଛକ ଠାରେ ଓଡ଼ିଶୀନୃତ୍ୟରେ ସ୍ୱାଗତ କରିବା ସମୟରେ ରାଷ୍ଟ୍ରପତି ନୃତ୍ୟଶିଳ୍ପୀଙ୍କ ସହ ଦୁଇପଦ କଥା ହୋଇଥିଲେ । ଅପରାହ୍ନ ୩ଟା ୨୦ରେ ତାଳବଣିଆ ହେଲିପ୍ୟାଡ଼ରୁ ବାୟୁସେନା ହେଲିକ୍ୟାପ୍ଟରରେ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିଥିଲେ । ତ୍ରିସ୍ତରୀୟ ସୁରକ୍ଷା ବଳୟ ସହ କାରକେଡ଼ ବ୍ୟବସ୍ଥା ଓ ୨୪ ପ୍ଲାଟୁନ ପୋଲିସ ଫୋର୍ସଙ୍କ ସମେତ ୧୭୦ ପୋଲିସ ଅଧିକାରୀ ନିୟୋଜିତ ହୋଇଥିଲେ । ଆଇଜି ନରସିଂହ ଭୋଳ, ଏସ୍ପିକେ ବିଶାଲ ସିଂହଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ପୂର୍ବାହ୍ନ ୧୦ଟା ୩୦ରୁ ସର୍ବସାଧାରଣ ଦର୍ଶନ ଏଥିପାଇଁ ବନ୍ଦ ରହିଥିଲା । ରାଷ୍ଟ୍ରପତି ଯିବା ପରେ ହଜାର ହଜାର ଭକ୍ତ ସିଂହଦ୍ୱାର ଦେଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।