ଭୁବନେଶ୍ୱରରେ ଶିକ୍ଷା ସହ ଜଡ଼ିତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ରାଷ୍ଟ୍ରପତି
![](https://thetruths.in/wp-content/uploads/2022/11/President-Dreaupadi-Murmu-in-BBSR-1024x682.jpg)
ଭୁବନେଶ୍ୱର : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନ ଭୁବନେଶ୍ୱରର ଜୟଦେବ ଭବନ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଓଡ଼ିଆ ଭାଷାରେ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଦ୍ୱାରା ପ୍ରକାଶିତ ଇଞ୍ଜିନିୟରିଂ ପୁସ୍ତକ କୁ ରାଷ୍ଟ୍ରପତି ଉନ୍ମୋଚନ କରିଥିଲେ । ଏହାଛଡ଼ା ବୈଜ୍ଞାନିକ ଏବଂ ବୈଷୟିକ ଶବ୍ଦାବଳୀ ଆୟୋଗଙ୍କ ଦ୍ୱାରା ବିକଶିତ ଓଡ଼ିଆ ଭାଷାରେ ବୈଷୟିକ ଶବ୍ଦକୋଷ ଏବଂ ଇ-କୁମ୍ଭ (ବିଭିନ୍ନ ଭାରତୀୟ ଭାଷାରେ ପ୍ରକାଶିତ ଜ୍ଞାନ) ପୋର୍ଟାଲକୁ ମଧ୍ୟ ରାଷ୍ଟ୍ରପତି ଉନ୍ମୋଚନ କରିଥିଲେ ।
ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏସବୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଉନ୍ମୋଚନ କରି ସେ ଆନନ୍ଦିତ । ସମସ୍ତଙ୍କ ପାଖରେ ଶିକ୍ଷା ପହଂଚାଇବା ଦିଗରେ ଭାରତ ସରକାରଙ୍କ ଏହି ପଦକ୍ଷେପ ପ୍ରଶଂସନୀୟ । ଇଂରାଜୀ ଭାଷାରେ ବୈଷୟିକ ଶିକ୍ଷାକୁ ବୁଝିବା କ୍ଷେତ୍ରରେ ଅନେକ ଛାତ୍ରଛାତ୍ରୀ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି । ଏହି କାରଣରୁ ଜାତୀୟ ଶିକ୍ଷା ନୀତି -୨୦୨୦ରେ ସରକାର ଆଂଚଳିକ ଭାଷାରେ ବୈଷୟିକ ଶିକ୍ଷା ଯୋଗାଇ ଦେବା ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି ।
ରାଷ୍ଟ୍ରପତି କହିଥିଲେ ଯେ ମାତୃଭାଷା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୌଦ୍ଧିକ ଜ୍ଞାନ ବିକଶିତ କରିଥାଏ,ଏଥିରେ କୌଣସି ସନ୍ଦେହ ନାହିଁ । ମାତୃଭାଷାରେ ଶିକ୍ଷା ଦାନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳ ବିଚାରଧାରା ଏବଂ ବିଶ୍ଳେଷଣ ଦକ୍ଷତା ବିକଶିତ କରିବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ । ରାଷ୍ଟ୍ରପତି କହିଥିଲେ ଯେ ସହରାଂଚଳ ଏବଂ ଗ୍ରାମାଂଚଳର ଛାତ୍ରଛାତ୍ରୀଙ୍କୁ ଏହାଦ୍ୱାରା ସମାନ ସୁଯୋଗ ମିଳିପାରିବ । ଆଂଚଳିକ ଭାଷାରେ ପାଠ୍ୟପୁସ୍ତକ ଉପଲବ୍ଧ ହେଉନଥିବାରୁ ପୂର୍ବରୁ ଆଂଚଳିକ ଭାଷାରେ ବୈଷୟିକ ଶିକ୍ଷାଦାନ କରିବା କ୍ଷେତ୍ରରେ ବାଧା ଉତ୍ପନ୍ନ ହେଉଥିଲା । ଏହି ବାଧା ଦୂର କରିବା କ୍ଷେତ୍ରରେ ଏଆଇସିଟିଇର ପ୍ରୟାସକୁ ସେ ପ୍ରଶଂସା କରିଥିଲେ ।
ରାଷ୍ଟ୍ରପତି କହିଥିଲେ ଯେ ଶିକ୍ଷା ହେଉଛି ସଶକ୍ତିକରଣର ଏକ ମାଧ୍ୟମ । ଆମ ଦେଶର ପ୍ରତ୍ୟେକ ଶିଶୁ ପ୍ରତ୍ୟେକ ସ୍ତରରେ ଯେପରି ଶିକ୍ଷାର ଲାଭ ପାଇପାରିବ ଆମେ ତାହା ସୁନିଶ୍ଚିତ କରିବା ଉଚିତ୍ । ବିନା କୌଣସି ବାଛବିଚାରରେ ସମସ୍ତଙ୍କ ପାଖରେ ଶିକ୍ଷା ଉପଲବ୍ଧ କରାଇବା ପାଇଁ ଆମେ ଯଥାସମ୍ଭବ ପ୍ରୟାସ କରିବା ଉଚିତ୍ । ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା କ୍ଷେତ୍ରରେ ଭାଷା ବାଧକ ନୁହେଁ ବରଂ ସହାୟକ ହେବା ଉଚିତ୍ । ଆଂଚଳିକ ଏବଂ ସ୍ଥାନୀୟ ଭାଷାରେ ଶିକ୍ଷାଦାନ ଆରମ୍ଭ କରାଯିବା ଫଳରେ ଦୀର୍ଘସ୍ଥାୟୀ ଭିତିରେ ଏକ ଶିକ୍ଷିତ, ସଚେତନ ଏବଂ ସକ୍ରିୟ ସମାଜ ଗଠନରେ ସହାୟତା ମିଳିପାରିବ ।
ରାଷ୍ଟ୍ରପତି କହିଥିଲେ ଯେ, ଓଡ଼ିଆ ଏକ ପ୍ରାଚୀନ ଏବଂ ସମୃଦ୍ଧ ଭାଷା । ଏହାର ଏକ ଅଭିନବ ସାହିତ୍ୟ ପରମ୍ପରା ଏବଂ ସମୃଦ୍ଧ ଶବ୍ଦ ଭଣ୍ଡାର ରହିଛି । ତେଣୁ ଓଡ଼ିଆ ଭାଷାରେ ବୈଷୟିକ ଶିକ୍ଷା ପାଇବା କ୍ଷେତ୍ରରେ କୌଣସି ଅସୁବିଧା ହେବ ନାହିଁ । ସେ କହିଥିଲେ ଯେ, ସବୁ ଭାରତୀୟ ଭାଷାରେ ଅଳ୍ପବହୁତ ଏଭଳି ସମ୍ଭାବନା ରହିଛି । ଜାତୀୟ ଶିକ୍ଷା ନୀତି -୨୦୨୦ରେ ସବୁ ଭାରତୀୟ ଭାଷାକୁ ସମାନ ଗୁରୁତ୍ୱ ଦିଆଯାଇଥିବାରୁ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ, ଭାରତୀୟ ଭାଷା କ୍ଷେତ୍ରରେ ଏହା ଏକ ନୂତନ ଯୁଗର ଆରମ୍ଭ କରିଛି । ଏଥିପୂର୍ବରୁ, ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ତପୋବନ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏହାପରେ, ସେ ପିଲାଦିନେ ପାଠ ପଢ଼ୁଥିବା ୟୁନିଟ୍-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ସ୍କୁଲରେ ପଢ଼ିବା ବେଳେ ରହୁଥିବା ୟୁନିଟ୍-୨ କୁନ୍ତଳା କୁମାର ସାବତ ଆଦିବାସୀ ବାଳିକା ଛାତ୍ରୀନିବାସକୁ ଯାଇଥିଲେ । ରାଷ୍ଟ୍ରପତି ସେଠାରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଛାତ୍ରୀନିବାସ ଅନ୍ତେବାସୀଙ୍କ ସହ ମତବିନିମୟ କରିଥିଲେ ।