ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : ଜାଣନ୍ତୁ ପ୍ରାରମ୍ଭିକ ଓ ରାଜନୈତିକ ଜୀବନ

ଦ୍ରୌପଦୀ ମୁର୍ମୁ (ଜନ୍ମ: ୨୦ ଜୁନ ୧୯୫୮) ଜଣେ ଭାରତୀୟ ରାଜନୀତିଜ୍ଞା ଓ ଭାରତର ୧୫ତମ ତଥା ବର୍ତ୍ତମାନର ରାଷ୍ଟ୍ରପତି । ଭାରତର ରାଷ୍ଟ୍ରପତି ହେବାରେ ସେ ପ୍ରଥମ ଆଦିବାସୀ । ସେ ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ଦୁଇଥର (୨୦୦୦ ଏବଂ ୨୦୦୪ରେ) ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଝାଡ଼ଖଣ୍ଡର ରାଜ୍ୟପାଳ (୨୦୧୫-୨୦୨୧) ଭାବରେ କାର୍ଯ୍ୟ କରିଥିଲେ । ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ସଂଯୁକ୍ତ ଶାସନ ବେଳେ ସେ ବାଣିଜ୍ୟ ଏବଂ ଗମନାଗମନ ବିଭାଗର ସ୍ୱାଧୀନ ମନ୍ତ୍ରୀ ଭାବେ ୨୦୦୦ ମାର୍ଚ୍ଚ ୬ରୁ ୨୦୦୨ ଅଗଷ୍ଟ ୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମଇ ୧୬ ପର୍ଯ୍ୟନ୍ତ କାର୍ଯ୍ୟକରିଥିଲେ ।
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା :
ଦ୍ରୌପଦୀ ମୁର୍ମୁ ୧୯୫୮ ମସିହା ଜୁନ ୨୦ ତାରିଖରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାସ୍ଥିତ ବାଇଦାପୋଷିଠାରେ ଏକ ସାନ୍ତାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମୂଳ ନାମ ପୁତି ଟୁଡୁ ଥିଲା । ତାଙ୍କୁ ତାଙ୍କ ସ୍କୁଲରେ ଶିକ୍ଷକ ଦ୍ରୌପଦୀ ନାମ ଦେଇଥିଲେ । ତାଙ୍କ ନାମ ଅନେକ ଥର ପରିବର୍ତ୍ତନ କରାଯାଇଥିଲା ଏବଂ ଅତୀତରେ ତାଙ୍କୁ ଦୁର୍ପାଦି, ଡୋର୍ପଦି ଆଦି ନାମ ମଧ୍ୟ ଦିଆଯାଇଥିଲା | ତାଙ୍କ ପିତାଙ୍କ ନାମ ଥିଲା ବିରଞ୍ଜି ନାରାୟଣ ଟୁଡୁ । ତାଙ୍କ ବାପା ଓ ଜେଜେବାପା ଉଭୟ ପଞ୍ଚାୟତିରାଜ ଶାସନ ବ୍ୟବସ୍ଥାରେ ଗାଁ ମୁଖିଆ ଥିଲେ ।
ସେ ଉବରବଡ଼ୋ ପ୍ରାଥମିକ ବିଦ୍ୟାଳୟରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ । ତା’ପରେ ଭୁବନେଶ୍ୱର ଆସି ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ କରିଥିଲେ ଓ ରମାଦେବୀ ମହିଳା ମହାବିଦ୍ୟାଳୟରେ କଳାରେ ସ୍ନାତକ ପର୍ଯ୍ୟନ୍ତ ଶିକ୍ଷାଗ୍ରହଣ କରିଥିଲେ ।
ପରିବାର :
ଦ୍ରୌପଦୀ ମୁର୍ମୁ, ଶ୍ୟାମ ଚରଣ ମୁର୍ମୁଙ୍କୁ ବିବାହ କରିଥିଲେ । ବିବାହ ପରେ ଦ୍ରୌପଦୀ ନିଜ ସାଙ୍ଗିଆ ଟୁଡ଼ୁରୁ ମୁର୍ମୁକୁ ପରିବର୍ତ୍ତିତ କରିଥିଲେ । ଉଭୟ ଦମ୍ପତିଙ୍କର ଦୁଇ ପୁତ୍ର ଥିଲେ ଲକ୍ଷ୍ମଣ ମୁର୍ମୁ ଏଵଂ ସିପୁନ୍ ମୁର୍ମୁ ଓ ଗୋଟିଏ କନ୍ୟା ସନ୍ତାନ ଇତିଶ୍ରୀ ଅଛନ୍ତି । ୨୦୦୯ ଏବଂ ୨୦୧୩ ମସିହାରେ ସେ ତାଙ୍କର ଦୁଇ ପୁତ୍ରଙ୍କୁ ହରାଇଥିଲେ । ୨୦୧୪ ମସିହାରେ ଶ୍ୟାମ ଚରଣ ମୁର୍ମୁଙ୍କର ଦେହାନ୍ତ ହୋଇଥିଲା ।
ବୃତ୍ତି :
ସେ ଓଡ଼ିଶା ସରକାର ଅଧିନରେ ଜଳସେଚନ ଓ ବିଦ୍ୟୁତ ବିଭାଗରେ କନିଷ୍ଠ ସହାୟିକା ଭାବେ କାର୍ଯ୍ୟ କରିଥିଲେ । ଏହାପରେ ରାଇରଙ୍ଗପୁରଠାରେ ଥିବା ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ ଏଜୁକେସନରେ ଶିକ୍ଷକତା କରିଥିଲେ ।
ରାଜନୈତିକ ଜୀବନ :
ଦ୍ରୌପଦୀ ମୁର୍ମୁ ୧୯୯୭ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ । ୧୯୯୭ରେ ଓ୍ୱାର୍ଡ ସଭ୍ୟ ଭାବେ ନିର୍ବାଚିତ ହେବା ପରେ ରାଇରଙ୍ଗପୁର ପୌରାଧ୍ୟକ୍ଷା ପଦ ସମ୍ଭାଳିଥିଲେ । ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ୨୦୦୦ ଏବଂ ୨୦୦୪ରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ସଂଯୁକ୍ତ ଶାସନ ବେଳେ ସେ ସ୍ୱାଧୀନ ବାଣିଜ୍ୟ ଏବଂ ଗମନାଗମନ ମନ୍ତ୍ରୀ ଭାବେ ମାର୍ଚ୍ଚ ୬, ୨୦୦୦ରୁ ଅଗଷ୍ଟ ୬, ୨୦୦୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଏବଂ ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମଇ ୧୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ୧୯୯୭ରୁ ସେ ବିଜେପିର ଆଦିବାସୀ ମୋର୍ଚ୍ଚା ସହ ଜଡ଼ିତ । ୧୯୯୭ରେ ଦ୍ରୌପଦୀ ମୁର୍ମୁଙ୍କୁ ଭାରତୀୟ ଜନତା ପାର୍ଟିର ଆଦିବାସୀ ମୋର୍ଚ୍ଚାର ଉପ-ସଭାପତି ପଦ ମିଳିଥିଲା । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଛନ୍ତି । ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷା ରହିଛନ୍ତି । ୨୦୧୦ରେ ମୟୂରଭଞ୍ଜର ଭାରତୀୟ ଜନତା ପାର୍ଟି (ପୂର୍ବ)ର ଜିଲ୍ଲା ଅଧ୍ୟକ୍ଷା ରହିଛନ୍ତି । ୨୦୧୩ରୁ ଏପ୍ରିଲ ୧୦, ୨୦୧୫ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି (ପୂର୍ବ)ର ଜିଲ୍ଲା ଅଧ୍ୟକ୍ଷା ଓ ୨୦୧୩ରୁ ଏପ୍ରିଲ ୧୦, ୨୦୧୫ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଥିଲେ ।
ଦୌପଦୀ ମୁର୍ମୁ ୨୦୦୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ରାଇରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ୨୫,୧୧୦ ଖଣ୍ଡ ଭୋଟ୍ ପାଇବା ସହିତ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଲକ୍ଷ୍ମଣ ମାଝିଙ୍କୁ ୪,୫୬୮ ଖଣ୍ଡ ଭୋଟ୍ରେ ପରାସ୍ତ କରି ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାଇରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ପୁଣିଥରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ସମୁଦାୟ ୨୯,୨୯୫ ଖଣ୍ଡ ଭୋଟ୍ ପାଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରାର୍ଥୀ ରାମ ଚନ୍ଦ୍ର ମୁର୍ମୁଙ୍କୁ ୩୨ ଖଣ୍ଡ ଭୋଟ୍ରେ ପରାସ୍ତ କରି ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ସମ୍ମାନ :
ଓଡ଼ିଶା ବିଧାନ ସଭାଦ୍ୱାରା ୨୦୦୭ବର୍ଷ ପାଇଁ ଶ୍ରେଷ୍ଠ ବିଧାୟକ ଭାବେ ନୀଳକଣ୍ଠ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।