ଛାତ୍ରଛାତ୍ରୀଙ୍କୁ ଭଲ ପାଠ ପଢି ନିଜ ପିତାମାତା ଓ ସ୍କୁଲର ସୁନାମ ରଖିବାକୁ ପରାମର୍ଶ ଦେଲେ ରାଷ୍ଟ୍ରପତି
![](https://thetruths.in/wp-content/uploads/2022/11/President-Draupadi-Murmu-2.jpg)
ଭୁବନେଶ୍ୱର : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ସକାଳେ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ତପୋବନ ଉଚ୍ଚବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏହି ଅବସରରେ ରାଷ୍ଟ୍ରପତି ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ (ଆଲୁମିନି) ମାନଙ୍କ ସହିତ ପାରସ୍ପରିକ ଆଲୋଚନା ଓ ଭାବ ବିନିମୟକରିଥିଲେ ।
ଛାତ୍ରଛାତ୍ରୀଙ୍କ ଭାବ ବିନିମୟ ବେଳେ ଶ୍ରୀମତୀ ମୁର୍ମୁ କହିଲେ ଯେ, ସେତେବେଳେ ପରିସ୍ଥିତି ଆମର ଭିନ୍ନ ଥିଲା । ତାଙ୍କର ପ୍ରାଥମିକ ସ୍କୁଲ ରାଇରଙ୍ଗପୁରର ‘ଉପରବେଡା’ ସ୍କୁଲ ଥିଲା । ସେତେବେଳେ ସ୍କୁଲର ଛାତଘର ନଥିଲା । ଏବେ ତୁମେ ମାନେ ଭାଗ୍ୟବାନ ପିଲା । ବିଭିନ୍ନ ଗାଁରୁ ଆସିଥିବା ପିଲାମାନେ ସୁନ୍ଦର ପରିବେଶ ଥିବା ଏହି ବିଦ୍ୟାଳୟରେ ସବୁ ସୁବିଧା ସୁଯୋଗ ଥାଇ ଏଠାରେ ପାଠ ପଢୁଛ ।ନିଜେ ଯେଉଁ ଲକ୍ଷ୍ୟ ରଖି ପାଠ ପଢୁଛ, ସେହି ଲକ୍ଷ୍ୟ ସାଧନ ପାଇଁ ଭଲ ପାଠ ପଢି ଆଗକୁ ବଢିବାକୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ଛାତ୍ରଛାତ୍ରୀମାନେ ରାଷ୍ଟ୍ରପତିଙ୍କୁ ପ୍ରଶ୍ନ କରିଥିଲେ ଯେ, ଆପଣ ଦିନେ ଶିକ୍ଷୟିତ୍ରୀ ଥିଲେ । ଆପଣ ଆଜି ଏହି ବିଦ୍ୟାଳୟକୁ ଆସିଛନ୍ତି । କିପରି ଅନୁଭବ କରୁଛନ୍ତି ? ଉତରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବିଦ୍ୟାଳୟର ପରିବେଶ ଓ ସଂପୂର୍ଣ୍ଣ ଶୈକ୍ଷିକ ବାତାବରଣକୁ ଦେଖି ଅତ୍ୟନ୍ତ ଭାବ ବିହ୍ୱଳ ହୋଇ ସେ କହିଥିଲେ ଯେ, ତାଙ୍କର ବିଦ୍ୟାଳୟ ପ୍ରତି ଈର୍ଷା ହେଉଛି । ସେ ଆହୁରି ମଧ୍ୟ କହିଥିଲେ ଯେ, ତୁମମାନଙ୍କ ଉପରେ ତୁମ ବାପା ମାଆଙ୍କର ଆଶୀର୍ବାଦ ରହିଛି । ସମସ୍ତଙ୍କ ସୁଖ ଦୁଃଖରେ ସାମିଲ ହେଉଥିବା ତାଙ୍କର ଜେଜେମା, ତାଙ୍କର ରୋଲ ମଡେଲ ଥିଲେ ବୋଲି ପ୍ରକାଶ କରିବା ସହିତ ଭଲ ପାଠ ପଢି ନିଜ ବାପା ମା ଓ ବିଦ୍ୟାଳୟର ସୁନାମ ରଖିବାକୁ ରାଷ୍ଟ୍ରପତି ମହୋଦୟା ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସାଧାରଣ ଉଦ୍ୟୋଗ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟ ଆଇନ୍, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ , ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରମୁଖ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ, ବିଭାଗୀୟ ନିର୍ଦ୍ଦେଶକ ଶୀତାଂଶୁ କୁମାର ରାଉତ, ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ସମେତ ଶିକ୍ଷା ବିଭାଗର ପଦାଧିକାରୀ,ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ ।