ଆସନ୍ତାକାଲି ଠାରୁ ଯୁକ୍ତ୨ ପରୀକ୍ଷା, ପରିଚାଳନାରେ ସହଯୋଗ କରିବେ ଆନ୍ଦୋଳନରତ ଅଧ୍ୟାପକ
ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ଉଚ୍ଚଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା। ପରୀକ୍ଷା ସୁରୁଖୁରୁରେ ହେବା ନେଇ ଅନିଶ୍ଚିତତା ଦୂର ହୋଇଛି । କାରଣ ଆନ୍ଦୋଳନରତ କଲେଜ ଶିକ୍ଷକମାନେ ପରୀକ୍ଷା ପରିଚାଳନାରେ ସହଯୋଗ କରିବା ପାଇଁ ରାଜି ହୋଇଥିବା ଜଣାପଡିଛି।
ଚଳିତବର୍ଷ ୩ ଲକ୍ଷ ୫୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏଥିପାଇଁ ୧ ହଜାର ୧୪୫ ପରୀକ୍ଷା କେନ୍ଦ୍ର କରାଯାଇଛି। ଦୁଇ ବର୍ଷ ପରେ ଏଥର ୧୦୦ ପ୍ରତିଶତ ପାଠ୍ୟକ୍ରମର ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ପରୀକ୍ଷା ପାଇଁ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି । ଶାନ୍ତି ଶୃଙ୍ଖଳାରେ ପରୀକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ସୂଚନା ଯେ, ‘ନିଖିଳ ଓଡ଼ିଶା ୬୬୨ବର୍ଗ ବେସରକାରୀ କଲେଜ ଅଧ୍ୟାପକ କର୍ମଚାରୀ ସଂଘ’ ପକ୍ଷରୁ ଦାବି କରାଯାଇଛି ଯେ ସରକାର ପାତରଅନ୍ତର ଓ ବର୍ଗୀକରଣ ନକରି ୭ମ ବେତନ କମିସନ୍ଙ୍କ ନିୟମ ଆଧାରରେ ସମାନ ଗ୍ରେଡ୍-ପେ’କୁ ସମାନ ଦରମା ଦିଅନ୍ତୁ। ସମସ୍ତଙ୍କୁ ଗ୍ରାଚ୍ୟୁଇଟି ଓ ପେନସନ୍, ୨୦୧୮ ଜି.ଓ ପ୍ରତ୍ୟାଶୀମାନଙ୍କୁ ୭ମ ବେତନ ଏବଂ ଅସଂଗତି ପଦ ପାଇଁ ଆହୂତ ତଥ୍ୟକୁ ତୁରନ୍ତ ଯାଞ୍ଚ କରି ଅନୁଦାନ ପ୍ରଦାନ କରନ୍ତୁ। ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ତୁରନ୍ତ ଏହି ସମସ୍ୟାର ସମାଧାନ କରନ୍ତୁ। ନଚେତ ଆମରଣ ଅନଶନ, ଆବଶ୍ୟକ ପଡ଼ିଲେ ଆଗାମୀ +୨ ଓ +୩ ବାର୍ଷିକ ପରୀକ୍ଷାରେ ଅସହଯୋଗ ଏବଂ ପରବର୍ତ୍ତୀ ସମୟରେ ମୂଲ୍ୟାଙ୍କନ ବର୍ଜନ ଭଳି କଠୋର ନିଷ୍ପତ୍ତି ନେବ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା। ଏଥିଲାଗି ସଂଘ ପକ୍ଷରୁ ଲୋୟର ପିଏମଜିରେ ଅହୋରାତ୍ର ଗଣଧାରଣା ଦିଆଯାଇଛି।