ଏପ୍ରିଲ ୩ରେ ଅତାବିରା ଓ ହିନ୍ଦୋଳ ଏଏନସି ନିର୍ବାଚନ ପାଇଁ ଭୋଟ
ଭୁବନେଶ୍ୱର : ଢେଙ୍କାନାଳ ଜିଲା ହିନ୍ଦୋଳ ଓ ବରଗଡ଼ ଜିଲା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ନିର୍ବାଚନ ପାଇଁ ଆରମ୍ଭ ହେଲା ନିର୍ବାଚନ ପ୍ରକ୍ରିୟା। ଏପ୍ରିଲ ୩ ତାରିଖରେ ହେବ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଏପ୍ରିଲ ୫ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ସେହିଭଳି ଏପ୍ରିଲ ୧୯ ତାରିଖରେ ଏନ୍ଏସି ଅଧ୍ୟକ୍ଷ ନିର୍ବାଚନ ହେବ। ଆଜିଠାରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ସମ୍ପୃକ୍ତ ବିଜ୍ଞାପିତ ଅଞ୍ଚଳରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଆଜି ଏ ସଂକ୍ରାନ୍ତରେ ରାଜ୍ୟ ନିର୍ବାଚନ କମିସନ୍ ସୂଚନା ଦେଇଛନ୍ତି।
ମାର୍ଚ୍ଚ ୯ରୁ ୧୫ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିହେବ । ୧୭ ମାର୍ଚ୍ଚରେ ପ୍ରାର୍ଥୀ ପତ୍ରଗୁଡ଼ିକ ଯାଞ୍ଚ ହେବ । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ମାର୍ଚ୍ଚ ୨୦ । ଆଜିଠୁ ଆଚରଣ ବିଧି ଲାଗୁ ହୋଇଛି। ଅତାବିରା ଓ ହିନ୍ଦୋଳ ଏନଏସିର କାର୍ଯ୍ୟକାଳ ୨୦୨୩ ଏପ୍ରିଲ ୧୨ ରେ ଶେଷ ହେଉଛି। ୨ଟି ଏନଏସିରେ ୨୮ ଟି ବୁଥରେ ୨୩ ହଜାର ୩୯୭ ଭୋଟର ରହିଛନ୍ତି। କାଉନସିଲର ଓ ଚେୟାର ପର୍ସନ ପାଇଁ ପୃଥକ୍ ପୃଥକ୍ ଇଭିଏମ୍ ବ୍ୟବହାର କରାଯିବ ।
ଉଭୟ ହିନ୍ଦୋଳ ଓ ଅତାବିରା ଏନଏସିରେ ମୋଟ ୨୮ଟି ୱାର୍ଡର ୩୨ ବୁଥ ଅଛି। ଏଥିରେ ୨୩ ହଜାର ୩୯୭ ଭୋଟର ରହିଛନ୍ତି। ନିର୍ବାଚନରେ ପ୍ରାର୍ଥୀ କେତେ ଟଙ୍କା ଖର୍ଚ୍ଚ କରିପାରିବେ ସେ ନେଇ ରାଜ୍ୟ ନିର୍ବାଚନ କମିସନ ପକ୍ଷରୁ ସୂଚନା ଦିଆଯାଇଛି। ୫୦ ହଜାର ପର୍ଯ୍ୟନ୍ତ ଜନସଂଖ୍ୟା ଥିବା କାଉନସିଲର ପ୍ରାର୍ଥୀମାନଙ୍କ ପାଇଁ ଖର୍ଚ୍ଚ ସୀମା ୫୦ ହଜାର ଟଙ୍କା ହୋଇପାରିବ। ୫୦ ହଜାର ପର୍ଯ୍ୟନ୍ତ ଜନସଂଖ୍ୟା ଥିବା ଅଧ୍ୟକ୍ଷ ପ୍ରାର୍ଥୀମାନଙ୍କ ପାଇଁ ଖର୍ଚ୍ଚ ସୀମା ୨ ଲକ୍ଷ ଟଙ୍କା ହୋଇପାରିବ। ସେହିଭଳି ୫୦ ହଜାରରୁ ୧ ଲକ୍ଷ ପର୍ଯ୍ୟନ୍ତ ଜନସଂଖ୍ୟା ଥିବା କାଉନସିଲର ପ୍ରାର୍ଥୀମାନଙ୍କ ପାଇଁ ଖର୍ଚ୍ଚ ସୀମା ୭୫ ହଜାର ଟଙ୍କା କରାଯାଇଛି। ୧ ଲକ୍ଷରୁ ଉର୍ଦ୍ଧ୍ବ ଜନସଂଖ୍ୟା ଥିବା କାଉନସିଲର ପ୍ରାର୍ଥୀମାନଙ୍କ ପାଇଁ ଖର୍ଚ୍ଚ ସୀମା ୧ ଲକ୍ଷ ଟଙ୍କା ରହିଛି। ୧ ଲକ୍ଷରୁ ଊର୍ଦ୍ଧ୍ବ ଜନସଂଖ୍ୟା ଥିବା ଅଧ୍ୟକ୍ଷ ପ୍ରାର୍ଥୀମାନଙ୍କ ପାଇଁ ଖର୍ଚ୍ଚ ସୀମା ୫ ଲକ୍ଷ ଟଙ୍କା ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।