ଆଜିଠୁ ଯୁକ୍ତ୨ ପରୀକ୍ଷା, ୧୧୪୫ କେନ୍ଦ୍ରରେ ପରୀକ୍ଷା ଦେବେ ସାଢ଼େ ୩ଲକ୍ଷ ଛାତ୍ରଛାତ୍ରୀ
ଦିନ ୧୦ଟାରୁ ଦିନ ୧ଟା ଯାଏ ହେବ ପରୀକ୍ଷା
୯ଟାରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ ପରୀକ୍ଷାର୍ଥୀ
ଭୁବନେଶ୍ୱର : ଆଜି ଠାରୁ ଯୁକ୍ତ୨ ପରୀକ୍ଷା । ୧୧୪୫ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ସାଢ଼େ ୩ଲକ୍ଷ ଛାତ୍ରଛାତ୍ରୀ । ଦିନ ୧୦ଟାରୁ ଦିନ ୧ଟା ଯାଏ ହେବ ପରୀକ୍ଷା । ସେପଟେ ଆନ୍ଦୋଳନ ଛାଡି ପରୀକ୍ଷା ପରିଚାଳନା କାର୍ଯ୍ୟରେ ଯୋଗ ଦେବାକୁ ରାଜି ହୋଇଛନ୍ତି ୬୬୨ ବର୍ଗ ଅଧ୍ୟାପକ । ତେଣୁ ପରୀକ୍ଷା ଶାନ୍ତି ଶୃଙ୍ଖଳାରେ ହେବ ବୋଲି ଆଶା କରାଯାଉଛି ।
ଯୁକ୍ତ ୨ କଳାରେ ୨ଲକ୍ଷ ୧୯ହଜାର ୧୧୦, ବିଜ୍ଞାନ ରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ଜଣ ଓ ଧନ୍ଦାମୂଳକ ରେ ୫ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପ୍ରଥମ ଦିନରେ ମାତୃଭାଷାରେ ପରୀକ୍ଷା ଦେବେ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀ । ସେଥିପାଇଁ ସାରା ରାଜ୍ୟରେ ମୋଟ୍ ୧୧୪୫ କେନ୍ଦ୍ର କରାଯାଇ ଥିବା ବେଳେ ୨୦୨ ଟି ହବ କରାଯାଇଛି । ଫେବୃଆରୀ ୨୫ତାରିଖରୁ ସମସ୍ତ ହବକୁ ପ୍ରଶ୍ନପତ୍ର ପଠାଯାଇଛି । ବୁଧବାର ସକାଳ ୭ଟା ରେ ହବରୁ ସମସ୍ତ ପରୀକ୍ଷା କେନ୍ଦ୍ରକୁ ଯିବ ପ୍ରଶ୍ନପତ୍ର । ଦିନ ୧୦ଟା ରେ ଆରମ୍ଭ ହେବ ପରୀକ୍ଷା । ୯ଟାରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ ପରୀକ୍ଷାର୍ଥୀ । ସେମାନେ ଆଡମିଟ କାର୍ଡ, ବ୍ଲାକ ବଲ୍ ପଏଣ୍ଟ ପେନ୍, ପାଣି ବୋତଲ ଛାଡି ଅନ୍ୟ କିଛି ବି ପରୀକ୍ଷା ହଲକୁ ନେଇପାରିବେ ନାହିଁ । ଏନେଇ ସିଏଚ୍ସିଇ ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକ ସୂଚନା ଦେଇଛନ୍ତି ।
ଶ୍ରୀ ନାୟକ ପରୀକ୍ଷାର୍ଥୀଙ୍କୁ ସଚେତନ କରାଇ କହିଛନ୍ତି, ସୋସିଆଲ ମିଡିଆରେ ଅପଲୋଡ୍ ନକଲି ପ୍ରଶ୍ନପତ୍ରକୁ ବିଶ୍ୱାସ କରନ୍ତୁନି । ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତ କରିବାକୁ କିଛି ଅସାଧୁ ବ୍ୟକ୍ତି ଏପରି କରୁଛନ୍ତି । ଏପରି ଅସାଧୁ ବ୍ୟକ୍ତିଙ୍କ ବିରୋଧରେ ସାଇବର ଥାନାର ଆଶ୍ରୟ ନିଆଯିବ । ସେପଟେ କୋଭିଡ୍ ପାଇଁ ମାଟ୍ରିକ ବୋର୍ଡ ପରୀକ୍ଷା ନ ଦେଇ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଦେବେ ଏଥର କ୍ୟାରିଅରର ପ୍ରଥମ ବୋର୍ଡ ପରୀକ୍ଷା । ଏଣୁ ବୋର୍ଡ ପରୀକ୍ଷାକୁ ନେଇ ବେଶ ଉତ୍ସାହିତ ଥିବା ଛାତ୍ରଛାତ୍ରୀମାନେ କହିଛନ୍ତି । ଏଥର ଶତ ପ୍ରତିଶତ ସିଲାବସ୍?ରେରେ ହେଉଚି ପରୀକ୍ଷା । ଏପ୍ରିଲ ୫ ତାରିଖରେ ସରିବ ପରୀକ୍ଷା । ଅନ୍ୟପଟେ ଆଜି ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଅଧ୍ୟକ୍ଷ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସହ ୬୬୨ ବର୍ଗ ଅଧ୍ୟାପକ ସଂଘର ଆଲୋଚନା ସଫଳ ହୋଇଛି । ପରୀକ୍ଷକମାନେ ପରୀକ୍ଷା ବର୍ଜନ ନିଷ୍ପତ୍ତିରୁ ଓହରି ଥିବାବେଳେ ପ୍ରତୀକାତ୍ମକ ଧାରଣା ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।