ପରିଷଦ ପକ୍ଷରୁ ଢାଞ୍ଚା ଜାରି, ସଂକ୍ଷିପ୍ତ ପାଠ୍ୟକ୍ରମ ଆଧାରରେ ଆସିବ ଯୁକ୍ତ୨ ପ୍ରଶ୍ନପତ୍ର

ଭୁବନେଶ୍ୱର : ଆସନ୍ତା ୨୮ରୁ ଆରମ୍ଭ ହେବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ବୋର୍ଡ ପରୀକ୍ଷା। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ହେବ । ରାଜ୍ୟରେ ମୋଟ ୩ ଲକ୍ଷ ୨୦ ହଜାର ପିଲା ପରୀକ୍ଷା ଦେବେ । ଖରାକୁ ଦେଖି ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି । ସକାଳ ୯ଟାରୁ ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରାଯିବ । ମହାମାରୀ ପାଇଁ ପରୀକ୍ଷା ବ୍ୟବସ୍ଥାରେ କୋହଳ କରାଯାଇଛି । ଏହି ପରିପ୍ରେକ୍ଷୀରେ ପରିଷଦ ପକ୍ଷରୁ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଢାଞ୍ଚା ଜାରି କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ମୁତାବକ ୨୦୨୦-୨୧ ଶିକ୍ଷାବର୍ଷର ସଂକ୍ଷିପ୍ତ ପାଠ୍ୟକ୍ରମ ଆଧାରରେ ପ୍ରଶ୍ନପତ୍ର ଆସିବ।
୨୦୨୧ ମାର୍ଚ୍ଚ ୪ ଓ ଏପ୍ରିଲ ୯ରେ ଜାରି ବିଜ୍ଞପ୍ତି ଅନୁଯାୟୀ ସମସ୍ତ ନିୟମିତ ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ର ଆସିବ। ପ୍ରଶ୍ନପତ୍ରର ମୋଟ ମାର୍କ ମଧ୍ୟରୁ ୫୦ ପ୍ରତିଶତ ମାର୍କ ଏକ ନମ୍ବର ସମ୍ବଳିତ ତଥା ମଲଟିପୁଲ ଚଏସ୍ ରହିବ। ସେହିପରି ୩୦ ପ୍ରତିଶତ ମାର୍କ ସଂକ୍ଷିପ୍ତ ଉତ୍ତର ବିଶିଷ୍ଟ ତଥା ୨/୩ ମାର୍କର ପ୍ରଶ୍ନ ରହିବ। ୨୦ ପ୍ରତିଶତ ମାର୍କ ଦୀର୍ଘ ଉତ୍ତର ମୂଳକ ତଥା ୫ ମାର୍କ ସମ୍ବଳିତ ରହିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ପ୍ରଶ୍ନପତ୍ରରେ ୩ ପ୍ରକାରର ଆସିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ଥିଓରୀ ପରୀକ୍ଷା ପୂର୍ବରୁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଇବାକୁ ନିର୍ଦେଶ ଦିଆଯାଇଛି। ପରିଷଦର ପରୀକ୍ଷା ନିୟନ୍ତ୍ରକ ଏନେଇ ସମସ୍ତ କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ତୁରନ୍ତ କ୍ୟାମେରା ଲଗାଇବାକୁ କୁହାଯାଇଛି। ଯେଉଁ କନିଷ୍ଠ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇ ନାହାନ୍ତି ସେମାନେ ଆସନ୍ତା ୧୮ ତାରିଖ ସୁଦ୍ଧା ସିସି କ୍ୟାମେରା ଲଗାଇବା ସହ ଏହାର ଲିଙ୍କ୍ ସାମ୍ସ ଇ-ସ୍ପେସ୍ରେ ଦାଖଲ କରିବେ। ସେହିପରି ଯେଉଁଠି ସିସି କ୍ୟାମେରା ନଥିବ ସେହି କେନ୍ଦ୍ରର ଛାତ୍ରଛାତ୍ରୀଙ୍କର ପ୍ରାକ୍ଟିକାଲ ଉତ୍ତର ଖାତା ଓ ମାର୍କ ଫଏଲ୍ ଗ୍ରହଣ କରାଯିବ ନାହିଁ। ଯେଉଁ ପରୀକ୍ଷା କେନ୍ଦ୍ର ସିସିଟିଭି ନ ଲଗାଇବେ ଉକ୍ତ ପରୀକ୍ଷା କେନ୍ଦ୍ରକୁ ବାତିଲ୍ କରି ନିକଟସ୍ଥ ପରୀକ୍ଷା କେନ୍ଦ୍ର ସହ ଟ୍ୟାଗ୍ କରାଯିବ ବୋଲି ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି।