ସିବିଏସଇର ବୋର୍ଡ ପରୀକ୍ଷା ନେଇ ଗାଇଡ଼ଲାଇନ ଜାରି : ଗୋଟିଏ ହଲରେ ବସିବେ ୧୮ ଛାତ୍ରଛାତ୍ରୀ
ନୂଆଦିଲ୍ଲୀ : ଆସନ୍ତା ଏପ୍ରିଲ ୨୬ରୁ ଆରମ୍ଭ ହେବାକୁ ଯାଉଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ବା ସିବିଏସଇର ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା । ପରୀକ୍ଷାକୁ ନେଇ ସିବିଏସଇ ତରଫରୁ ଗାଇଡ଼ଲାଇନ ଜାରି କରାଯାଇଛି ।
କରୋନା ସଂକ୍ରମଣ ମହାମାରୀ କାରଣରୁ ପରୀକ୍ଷା ହଲରେ ଛାତ୍ରଛାତ୍ରୀଙ୍କ ବସିବା ଶୈଳୀରେ କିଛିଟା ପରିବର୍ତ୍ତନ ଅଣାଯାଇଛି । ପୂର୍ବରୁ ଗୋଟିଏ ହଲରେ ୨୪ ଜଣ ଛାତ୍ରଛାତ୍ରୀ ବସି ପରୀକ୍ଷା ଦେଉଥିବା ବେଳେ ଏବେ ୧୮ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜନ କରାଯିବ । ଗୋଟିଏ କେନ୍ଦ୍ରରେ ୫ରୁ ୭ଟି ରୁମ ରହିବ । ପୂର୍ବରୁ ପରୀକ୍ଷା କରିବା ପାଇଁ ବଡ ବଡ ହଲ ପ୍ରସ୍ତୁତ କରାଯାଉଥିବା ବେଳେ ସେଥିରେ ୭୨ ରୁ ୧୦୦ ଜଣ ଛାତ୍ରଛାତ୍ରୀ ବସି ପରୀକ୍ଷା ଦେଉଥିଲେ । କିନ୍ତୁ ଏଥର କ୍ଲାସ ରୁମରେ ହିଁ ସେଣ୍ଟର ପ୍ରସ୍ତୁତ କରାଯାଇ ପରୀକ୍ଷା ଆୟୋଜନ କରାଯିବ । ଆଉ ଏହା ସହ କଡାକଡ଼ି ଭାବେ କରୋନା ନିୟମ ମାନ ପାଳନ କରାଯିବ । ସିବିଏସଇ ବୋର୍ଡ ପିଲାଙ୍କ ରୋଲ ନମ୍ବର ସ୍ଲିପ ଜାରି କରିବା ସହିତ ବିଭିନ୍ନ ଦିଶା ନିର୍ଦ୍ଦେଶ ମଧ୍ୟ ଜାରି କରିଛନ୍ତି । ଏଗୁଡ଼ିକୁ ସମସ୍ତ କେନ୍ଦ୍ର ପାଳନ କରିବା ନିହାତି ଆବଶ୍ୟକ ।
ସୂଚନା ଯେ, କରୋନା ମହାମାରୀ ଦେଶରେ ପାଦ ଦେବା ପରେ ପରୀକ୍ଷା ପ୍ରଣାଳୀରେ କିଛିଟା ପରିବର୍ତ୍ତନ ଅଣାଯାଇଛି । ଏହି ମହାମାରୀ ଜାରି ହେବା ପରେ ପ୍ରଥମ ଥର ପାଇଁ ପରୀକ୍ଷା ଦୁଇ ଟର୍ମରେ ଆୟୋଜିତ କରାଯାଇଛି । ଫାଷ୍ଟ ଟର୍ମ ପରୀକ୍ଷା ୨୦୨୧ ନଭେମ୍ବର- ଡିସେମ୍ବରରେ ଅବଜେକ୍ଟିଭ ଆୟୋଜିତ ହୋଇସାରିଛି । କିନ୍ତୁ ଦ୍ୱିତୀୟ ଟର୍ମର ପରୀକ୍ଷା ସବଜେକ୍ଟିଭ ଭାବରେ ହେବ ।