ପାକିସ୍ତାନୀ କ୍ରିକେଟର୍ଙ୍କ କମାଲ୍ : ତିନୋଟି ଫର୍ମାଟ୍ର ଟପ୍-୩ରେ ବାବର
ମୁମ୍ବାଇ: ଆଇସିସି ରାଙ୍କିଂରେ ପାକିସ୍ତାନୀ କ୍ରିକେଟର ବାବର ଆଜମଙ୍କର କମାଲ । କ୍ରିକେଟର ତିନୋଟି ଯାକ ଫର୍ମାଟ୍ରେ ଟପ୍ ୩ ଭିତରେ ରହିଚି ତାଙ୍କ ନାଁ । ବିଶ୍ୱ କ୍ରିକେଟର ସେ ଜଣିଏ ମାତ୍ର ବ୍ୟାଟର ଭାବେ ତିନୋଟିଯାକ ଫର୍ମାଟ୍ର ଟପ୍ ୩ ଭିତରେ ରହିଛନ୍ତି ବାବର । ପୂର୍ବରୁ ଟି-୨୦ ଓ ଦିନିକିଆରେ ସେ ୧ ନମ୍ବର ସ୍ଥାନରେ ଥିବା ବେଳେ ଆଜି ଟେଷ୍ଟରେ ମଧ୍ୟ ୩ ନମ୍ବର ସ୍ଥାନକୁ ଉତୀର୍ଣ୍ଣ ହୋଇଛନ୍ତି ।
ବୁଧବାର ଆଇସିସି ନୂଆ ତାଲିକା ଜାରି କରିଛି । ଟେଷ୍ଟ କ୍ରିକେଟ୍ରେ ବାବର ତାଙ୍କ ଜୀବନରେ ସବୁଠାରୁ ଭଲ ପଏଂଟ ୮୪୭ ହାସଲ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ତାଙ୍କର ଉନ୍ନତ ପ୍ରଦର୍ଶନ ଯୋଗୁ ଆଇସିସି ଟେଷ୍ଟ ରାଙ୍କିଂରେ ଅଷ୍ଟ୍ରେଲିଆ କ୍ୟାପ୍େଟନ୍ ଷ୍ଟିଭ୍ ସ୍ମିଥ୍ଙ୍କୁ ପଛରେ ପକାଇ ବାବର ୩ ନମ୍ବର ସ୍ଥାନକୁ ଉଠିଛନ୍ତି । ଆଇସିସି ଟେଷ୍ଟ ରାଙ୍କିଂରେ ଇଂଲଣ୍ଡର ଜୋ ରୁଟ ୯୨୩ ପଏଂଟ ସହ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆର ମାରନୁସ ଲାବୁସଚେଞ୍ଜ ୮୮୫ ପଏଂଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ବାବାର ଲାଗତର ତାଙ୍କ ବ୍ୟାଟିଂରେ ଭଲ ପ୍ରଦର୍ଶନ କରୁଛନ୍ତି । ତିନୋଟିଯାକ ଫର୍ମାଟ୍?ରେ ସେ କେମିତି ନମ୍ବର ୱାନ୍ରେ ରହିବେ ତାହା ହିଁ ତାଙ୍କ ଲକ୍ଷ୍ୟ ବୋଲି ବାବର କହିଛନ୍ତି ।
ବର୍ତମାନ ସମୟରେ ଆଇସିସି ରାଙ୍କିଂରେ କୌଣସି ଭାରତୀୟ ବ୍ୟାଟରଙ୍କର ସେତେଟା ପ୍ରଭାବ ନାହିଁ । ମାତ୍ର ଦୁଇଜଣ ବ୍ୟାଟର ଭାବେ ଋଷବ ପନ୍ତ ଓ ରୋହିତ ଶର୍ମା ଟେଷ୍ଟ ରାଙ୍କିଂରେ ଟପ୍ ୧୦ ଭିତରେ ରହିଛନ୍ତି । ଏହି ତାଲିକାରେ ପନ୍ତ ୫ ନମ୍ବର ସ୍ଥାନରେ ଥିବା ବେଳେ ରୋହିତ ୯ ସ୍ଥାନରେ ଅଛନ୍ତି । ସବୁଠାରୁ ଖରାପ ଫର୍ମରେ ଯୁଝୁଥିବା ବିରାଟ କୋହଲି ଏହି ତାଲିକାରେ ୧୨ ନମ୍ବର ସ୍ଥାନରେ ରହିଛନ୍ତି । ସେହିପରି ଟେଷ୍ଟ ବୋଲିଂରେ ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦି ଜସ୍ପ୍ରୀତ ବୁମ୍ରାଙ୍କୁ ପଛରେ ପକାଇ ୨ ନମ୍ବର ସ୍ଥାନକୁ ଉତୀର୍ଣ୍ଣ ହୋଇଛନ୍ତି । ଗାଲେରେ ଖେଳାଯାଉଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଆଫ୍ରିଦି ୪ ୱିକେଟ୍ ନେବା ପରେ ତାଙ୍କ ରାଙ୍କିଂରେ ସୁଧାର ଆସିଛି ।