କମନୱେଲ୍ଥ ଗେମ୍ସ-୨୦୨୨: ଭାରତୀୟ ଦଳର ଧ୍ୱଜାବାହକ ପିଭି ସିନ୍ଧୁ
ନୂଆଦିଲ୍ଲୀ : ଆଜିଠୁ ବର୍ମିିଂହାମରେ ଆୟୋଜିତ ହେବ ୨୨ତମ କମନୱେଲଥ ଗେମସ । ଭାରତୀୟ ଅଲମ୍ପିକ ଆସୋସିଏସନ ବା ଆଇଓଏ ଦ୍ୱାରା ଏହା ଆୟୋଜିତ ହେବ । ଏହି ଗେମସ ଜୁଲାଇ ୨୮ରୁ ଆରମ୍ଭ ହୋଇ ଅଗଷ୍ଟ ୮ ଯାଏଁ ବ୍ରିଟିଶ ସହରରେ ହେବାକୁ ଯାଉଛି । ଅଲିମ୍ପିକ୍ ଚାମ୍ପିଅନ୍ ବ୍ୟାଡମିଂଟନ୍ ଖେଳାଳି ପିଭି ସିନ୍ଧୁଙ୍କୁ ଏକ ବଡ଼ ଦାୟିତ୍ୱ ଦିଆଯାଇଛି । ଦୁଇଥର ଅଲିମ୍ପିକ୍ ପଦକ ବିଜେତା ବ୍ୟାଡମିଂଟନ୍ ଖେଳାଳି ପିଭି ସିନ୍ଧୁ କମନୱେଲ୍ଥ ଗେମ୍ସ-୨୦୨୨ର ଉଦଘାଟନୀ ସମାରୋହରେ ଭାରତୀୟ ଦଳର ଧ୍ୱଜାବାହକ (ତ୍ରିରଙ୍ଗା ଧାରକ) ଭାବରେ ନିଯୁକ୍ତ ହୋଇଛନ୍ତି । ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ)ର ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଉଦଘାଟନୀ ସମାରୋହରେ ସିନ୍ଧୁଙ୍କୁ ଭାରତୀୟ ଦଳର ଧ୍ୱଜାବାହକ ଭାବେ ଦାୟିତ୍ୱ ଦିଆଯାଇଛି । ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ଉଦଘାଟନୀ ସମାରୋହରେ ଭାରତରୁ ସମୁଦାୟ ୧୬୪ଜଣ ଆଥଲେଟ୍ ଏହି କ୍ରୀଡ଼ା ସମାରୋହ ରେ ଅଂଶଗ୍ରହଣ କରିବେ ।
ସୂଚନା ମୁତାବକ ପୂର୍ବତନ ବିଶ୍ୱ ଚାମ୍ପିଅନ୍ ସିନ୍ଧୁ ଏଥର ବର୍ମିଂହାମ୍ରେ ମହିଳା ଏକକ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଅନ୍ୟତମ ଦାବିଦାର ବୋଲି କୁହାଯାଉଛି । ସେ ଗୋଲ୍ଡ କୋଷ୍ଟ ଏବଂ ଗ୍ଲାସ୍େଗାରେ ଗତ ଦୁଇଟି ସଂସ୍କରଣରେ ଯଥାକ୍ରମେ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ଜିତିଥିଲେ । ରାଜ୍ୟ ଗୋଷ୍ଠୀ କ୍ରୀଡ଼ା-୨୦୧୮(ଗୋଲ୍ଡ କୋଷ୍ଟ)ରେ ସିନ୍ଧୁ ମଧ୍ୟ ଜାତୀୟ ପତାକା ଧରିଥିଲେ । ସୂଚନା ଥାଉ କି ବର୍ମିଂହାମ୍ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତ ପକ୍ଷରୁ ତ୍ରିରଙ୍ଗା ଧାରକ ଭାବେ ଜାଭ୍ଲିନ ତାରକା ନୀରଜ ଚୋପ୍ରାଙ୍କୁ ମନୋନୀତ କରାଯାଇଥିଲା । ତେବେ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ମଧ୍ୟ ଆମେରିକାର ଇଉଜେନିଠାରେ ନିକଟରେ ଶେଷ ହୋଇଥିବା ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତାରେ ରୌପ୍ୟ ଜିତି ଦେଶ ପାଇଁ ଆଉ ଏକ କୀର୍ତିମାନ ପ୍ରତିଷ୍ଠା କରିଥିଲେ । ତେଣୁ ବର୍ମିଂହାମ୍ରେ ପୁରୁଷ ଜାଭ୍ଲିନ୍ ପଦକ ବଜାୟ ରଖିବା ଲକ୍ଷ୍ୟରେ ରହିଥିଲେ । ହେଲେ ବିଶ୍ୱ ପ୍ରତିଯୋଗିତାରେ ତାଙ୍କର ସେହି ଐତିହାସିକ ସଫଳତା ଅବସରରେ ଆହତ ହୋଇଥିଲେ ନୀରଜ । ଫଳରେ ସେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରୁ ଓହରି ଯାଇଥିଲେ । ଆଉ ଏବେ ତାଙ୍କ ସ୍ଥାନରେ ସିନ୍ଧୁଙ୍କୁ ଏହି ସୁଯୋଗ ଦିଆଯାଇଛି ।