ଭାରତ ସହ କ୍ରିକେଟ୍ ଖେଳିବାକୁ ପାକିସ୍ତାନର ଇଚ୍ଛା, ଯୋଜନା ପ୍ରସ୍ତୁତ କରୁଛି ପିସିବି
ନୂଆଦିଲ୍ଲୀ : ଭାରତ ସହ ସିରିଜ୍ ଖେଳିବାକୁ ଚାହୁଁଛି ପାକିସ୍ତାନ । ୪ ଦେଶକୁ ନେଇ ସିରିଜ୍ ଆୟୋଜନ ପାଇଁ ପରାମର୍ଶ ଦେଲେ ପାକିସ୍ତାନ କ୍ରିକେଟ୍ ବୋର୍ଡ ବା ପିସିବି ମୁଖ୍ୟ ରମିଜ ରାଜା । ଭାରତ ସହ ପାକିସ୍ତାନ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆଙ୍କୁ ନେଇ ସିରିଜ୍ ଆୟୋଜନ କରିବା ତାଙ୍କର ଇଚ୍ଛା ବୋଲି ରମିଜ କହିଛନ୍ତି ।
କୋଡ୍ ସ୍ପୋର୍ଟସ୍ ଅଷ୍ଟ୍ରେଲିଆର ରିପୋର୍ଟ ଅନୁସାରେ, ରମିଜ ୪ ଦେଶକୁ ନେଇ ଟୁର୍ଣ୍ଣାମେଂଟ ଆୟୋଜନ ନେଇ ପ୍ରସ୍ତାବ ରଖିଛନ୍ତି । ଭାରତ ଓ ପାକିସ୍ତାନ ମଧ୍ୟରେ ଶେଷ ଥର ପାଇଁ ୨୦୧୨-୨୦୧୩ରେ ସିରିଜ ଖେଳା ଯାଇଥିଲା । ଏହାପରଠୁ ବିଭିନ୍ନ ପ୍ରସଙ୍ଗକୁ ନେଇ ଉଭୟ ଦେଶ ମଧ୍ୟରେ ସମ୍ପର୍କ ମଳୀନ ପଡିଥିଲା । ଯାହାର ପ୍ରଭାବ କ୍ରିକେଟ ଉପରେ ପଡିଥିଲା । ୨୦୧୫-୧୩ରେ ନଜମ ସେଟ୍ଟି ଉଭୟ ଦେଶ ମଧ୍ୟରେ ୬ଟିକିଆ ସିରିଜ୍ ଖେଳିବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ତାହା ସମ୍ଭବ ହୋଇପାରି ନଥିଲା । ଏବେ କିନ୍ତୁ ପରିସ୍ଥିତି ବଦଳିଛି । ଅଷ୍ଟ୍ରେଲିଆ ଆସନ୍ତା ମାର୍ଚ୍ଚରେ ପାକିସ୍ତାନ ଗସ୍ତ କରିବା ସହ ସିରିଜ୍ ଖେଳିବ । ୧୯୯୮ ପରେ ଅଷ୍ଟ୍ରେଲିଆ ଦଳର ଏହା ପ୍ରଥମ ପାକିସ୍ତାନ ଗସ୍ତ ହେବ ।
ପାକିସ୍ତାନରେ ଜନ୍ମିତ ଅଷ୍ଟ୍ରେଲିଆ ଖେଳାଳି ଉସମାନ ଖ୍ୱାଜା କହିଛନ୍ତି ଯେ, ସେ ଯେବେ ପାକିସ୍ତାନ ଯାଇଛନ୍ତି ତାଙ୍କୁ ଖୁବ୍ ସମର୍ଥନ ମିଳିଛି । ପାକିସ୍ତାନ ମାଟିରେ କ୍ରିକେଟ୍ ଖେଳିବା ପାଇଁ ସେ ଉତ୍ସାହିତ ଅଛନ୍ତି । ବାଂଲାଦେଶ ଓ ଭାରତରୁ ମଧ୍ୟ ତାଙ୍କୁ ଅନେକ ସମର୍ଥନ ମିଳେ । ପିଏସଏଲ ତାଙ୍କୁ ଉତ୍ସାହିତ କରିଥିବା ସେ କହିଛନ୍ତି ।