ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ବିଜୟିନୀ ବକ୍ସର ଲଭଲିନା ହେଲେ ଆସାମ ପୋଲିସ ଡିଏସପି
ଡିସପୁର : ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ବିଜୟିନୀ ବକ୍ସର ଲଭଲିନା ହେଲେ ଆସାମ ପୋଲିସ ଡିଏସପି । ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଡିସପୁର ଜନତା ଭବନରେ ଲଭଲିନାଙ୍କୁ ପୋଲିସ ଅଧୀକ୍ଷକ (ଡିଏସପି) ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ଟୋକିଓ ଅଲମ୍ପିକ୍ସ ପରେ ତାଙ୍କୁ ଡିଏସପି ଚାକିରୀ ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ ଆସାମ ମୁଖ୍ୟମନ୍ତ୍ରୀ । ଏହାଛଡା ଲଭଲିନାଙ୍କ ନାମରେ ଏକ ସଡକ ଓ ଏକ ଷ୍ଟାଡିୟମ ମଧ୍ୟ ନିର୍ମାଣ କରିବା ପାଇଁ ଘୋଷଣା କରିଥିଲେ ।
ଲଭଲିନାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି ତାଙ୍କୁ ପ୍ରଶଂସା କରିଥିଲେ ଆସାମ ମୁଖ୍ୟମନ୍ତ୍ରୀ । ସେ କହିଥିଲେ ଲଭଲିନାଙ୍କର ଆସାମରୁ ଅଲମ୍ପିକ ଯାତ୍ରା ଥିଲା ବେଶ ପ୍ରେରଣାଦାୟୀ । ତାଙ୍କୁ ଡିଏସପି ପଦ ପାଇଁ ନିଯୁକ୍ତି ପତ୍ର ଦେଇ ମୁଁ ଆନନ୍ଦିତ । ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଆଶା କରୁଛି ଯେ ସେ କ୍ରୀଡା ଏବଂ କର୍ମ କ୍ଷେତ୍ରରେ ତାଙ୍କର ସଫଳତା ସହିତ ଯୁବକମାନଙ୍କୁ ପ୍ରେରଣା ଦେବେ ବୋଲି ଟ୍ୱିଟ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା । ଟୋକିଓ ଅଲମ୍ପିକ୍ସରେ ମେଡାଲ ଜିତିଥିବା ଆସାମର ପ୍ରଥମ ଆଥଲେଟ ହୋଉଛନ୍ତି ଲଭଲିନା ବୋର୍ଗହେନ । ୧୨୫ ବର୍ଷ ପରେ ଅଲମ୍ପିକ୍ସରେ ଆସାମକୁ ପଦକ ଭେଟି ଦେଇଥିଲେ । ବକ୍ସର ଭାବେ ଭାରତର ଦ୍ୱିତୀୟ ମହିଳା ଅଲମ୍ପିକ ମେଡାଲ ବିଜେତା ହୋଇ ପାରିଛନ୍ତି ଲଭଲିନା । ୨୨ ବର୍ଷୀୟ ଲଭଲିନା ଅଲମ୍ପିକ ସେମିଫାଇନାଲ ମୁକାବିଲାରେ ପୂର୍ବ ବିଶ୍ୱ ଚମ୍ପିଆନ ତୁର୍କୀର ବୁସାନେଜ ସୁରମେନେଲିଙ୍କ ଠାରୁ ଲଭଲିନା ପରାସ୍ତ ହୋଇଥିଲେ ।
ଆସାମ ଝିଅ ଲଭଲିନା, ମୁଏ ଥାଇ ଅଭ୍ୟାସକାରୀ ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ଟୋକିଓ ଟକ୍କର ପରେ ପ୍ୟାରିସ ୨୦୨୪ରେ ସ୍ୱର୍ଣ୍ଣ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ଲଭଲିନା । ଡିଏସପି ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଲଭଲିନା ଆସାମର ଡିଜି ଏଲଆର ବିଷ୍ଣୋଇଙ୍କୁ ଭେଟିଥିଲେ । ଯାହାର ଫଟୋ ନିଜେ ବିଷ୍ଣୋଇ ଟ୍ୱିଟରରେ ସେୟୋର କରିଛନ୍ତି । ଏହି ଅବସରରେ ସେ ଲଭଲିନାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହି ସାକ୍ଷାତକାରରେ ଲଭଲିନା ତାଙ୍କ ସଂଘର୍ଷର ଦିନ ବିଷୟ ପ୍ରତିଟି ଘଟଣା ତାଙ୍କୁ କହିଥିଲେ ।