ୱାର୍କ ଭିସା ନଥିବା କାରଣରୁ ପାକିସ୍ତାନର ଦ୍ରୁତ ବୋଲର ୱାହାବ ରିଆଜଙ୍କୁ ଇଂଲଣ୍ଡରୁ ସ୍ୱଦେଶ ପଠାଗଲା
ନୂଆଦିଲ୍ଲୀ : ପାକିସ୍ତାନର ବାମହାତି ଦ୍ରୁତ ବୋଲର ୱାହାବ ରିଆଜଙ୍କୁ ଇଂଲଣ୍ଡରୁ ଜବରଦସ୍ତ ସ୍ୱଦେଶକୁ ପଠାଇ ଦିଆଯାଇଛି। ୱାହାବ ରିଆଜ୍ ଦି ହଣ୍ଡରେଡ୍ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଇଂଲଣ୍ଡ ଗସ୍ତରେ ଥିଲେ । ଦି ହଣ୍ଡରେଡ୍ ଟୁର୍ଣ୍ଣାମେଣ୍ଟରେ ଟ୍ରେଣ୍ଟ ରକେଟ୍ସ ୱାହାବ ରିଆଜଙ୍କୁ ନିଜ ଦଳରେ ସାମିଲ କରିଥିଲେ । କିନ୍ତୁ ରିଆଜଙ୍କ ପାଖରେ ଦି ହଣ୍ଡରେଡ ଖେଳିବାକୁ ୱାର୍କ ଭିସା ନଥିଲା ଯେଉଁଥି ପାଇଁ ତାଙ୍କୁ ବ୍ରିଟେନରୁ ପାକିସ୍ତାନକୁ ପଠାଯାଇଥିଲା । ୩୬ ବର୍ଷିୟ ୱାହାବ ରିଆଜ, ପୁନର୍ବାର ଭିସା ପାଇଁ ଆବେଦନ କରି ପାରିବେ ଓ ଇଂଲଣ୍ଡକୁ ଫେରିପାରନ୍ତି । କିନ୍ତୁ ୱାହାବଙ୍କ ପାଇଁ ପାକିସ୍ତାନକୁ ଲଜ୍ଜାଜନକ ସ୍ଥିତି ସହିବାକୁ ପଡିଲା ।
୨୧ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି ଦି ହଣ୍ଡରେଡ୍ ଟୁର୍ଣ୍ଣାମେଣ୍ଟ । ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ନିଶ୍ଚିତ କରିଛି କି ପାକିସ୍ତାନର ପେସର ୱାହାବ ରିଆଜଙ୍କୁ ପଠାଇ ଦିଆଯାଇଛି ଏବଂ ତାଙ୍କ ଦଳ ତାଙ୍କର ଶର୍ଟ-ଟର୍ମ ରିପଲେସମେଣ୍ଟ ଖୋଜିବାରେ ସମ୍ଭାବନା ରହିଛି। ଦି ହଣ୍ଡରେଡର ଜଣେ ମୁଖପାତ୍ର କହିଛନ୍ତି କି, ଆମେ ଜାଣୁ ଯେ ୱାହାବ ରିଆଜଙ୍କ ଭିସାର ସମସ୍ୟା ଥିଲା ଏବଂ ସଠିକ୍ କାଗଜପତ୍ର ପ୍ରସ୍ତୁତ କରିବାକୁ ସେ ପାକିସ୍ତାନକୁ ଯାଉଛନ୍ତି। ଟ୍ରେଣ୍ଟ ରକେଟସର ଆବଶ୍ୟକ ହେଲେ ଶର୍ଟସ୍-ଟର୍ମ ରିପଲେସମେଣ୍ଟର ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରିବେ । ରିୟାଜଙ୍କ ଫ୍ରାଞ୍ଚାଇଜ୍ ଟ୍ରେଣ୍ଟ ରକେଟ୍ ମଧ୍ୟ ସମାନ ଉତ୍ତର ଦେଇଛି । ସୂଚନା ଯେ, ରିଆଜ ପାକିସ୍ତାନ ପାଇଁ ୨୭ଟି ଟେଷ୍ଟ, ୯୧ ଟି ଦିନିକିଆ ଏବଂ ୩୬ଟି ଟି-ଟ୍ବେଣ୍ଟି ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳିଛନ୍ତି। ନିକଟରେ ଖେଳାଯାଇଥିବା ପାକିସ୍ତାନ ସୁପର ଲିଗରେ ପେଶୱାର ଜଲମି ଫାଇନାଲରେ ପହଞ୍ଚିଥିଲା । ଏହି ଟିମର ଅଧିନାୟକ ଥିଲେ ରିଆଜ୍ । ନାଥନ୍ କୁଲଟର-ନିଲଙ୍କ ବଦଳରେ ଟ୍ରେଣ୍ଟ ରକେଟସ ଟିମରେ ରିୟାଜଙ୍କୁ, ଦି ହଣ୍ଡରେଡ ଟୁର୍ଣ୍ଣାମେଣ୍ଟରେ ସାମିଲ କରାଯାଇଥିଲା । ଦି ହଣ୍ଡରେଡ ହେଉଛି ୧୦୦ଟି ବଲର ଟୁର୍ଣ୍ଣାମେଣ୍ଟ ଯେଉଁଥିରେ ମୋଟ ୮ଟି ଟିମ୍ ଭାଗ ନେଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ମାସେ ପର୍ଯ୍ୟନ୍ତ ଚାଲିବ ଏବଂ ଅଗଷ୍ଟ ୨୧ ରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ । ପିଏସଏଲ ରେ ତାଙ୍କର ଚମତ୍କାର ପ୍ରଦର୍ଶନ ସତ୍ତ୍ବେ ସେ ଇଂଲଣ୍ଡ ବିପକ୍ଷ ୱାନଡେ ଏବଂ ଟି-୨୦ ସିରିଜରେ ଏହି ଟିମରେ ସ୍ଥାନ ପାଇନାହାନ୍ତି ।