୩୧ ଓ ୧ରେ ମାଗଣା ସ୍ୱାସ୍ଥ୍ୟ ଶିବିର ସହ ରକ୍ତଦାନ ଶିବିରର ଆୟୋଜନ
କଟକ : କଟକ ନୂଆବଜାରସ୍ଥିତ ଶ୍ରୀ ଗୋପାଳ କୃଷ୍ଣ ଗୋଶାଳା ପ୍ରାଙ୍ଗଣରେ ଚଳିତ ଅକ୍ଟୋବର ମାସ ୩୧ ତାରିଖ ଏବଂ ନଭେମ୍ବର ମାସର ୧ ତାରିଖ ଦିନ ଗୋପାଷ୍ଟମୀ ମେଳା-୨୦୨୨ଉତ୍ସବ ଅନୁଷ୍ଟିତ ହେବାକୁ ଯାଉଅଛି । ଏହିି ଅବସରରେ ୩୧ ତାରିଖ ଦିନ ଗୋଶାଳା ପରିସରରେ ସକାଳ ୯ ଘଟିକାରୁ ୧ ଘଟିକା ପର୍ଯ୍ୟନ୍ତ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ସହିତ ରକ୍ତଦାନ ଶିବିରର ଆୟୋଜନ କରାଯିବ । ଏହି ଶିବିରଟିକୁ କଟକ ଡିସିପି ପିନାକ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିବେ । ଏହି ସ୍ୱାସ୍ଥ୍ୟ ଶିବିରରେ ବରିଷ୍ଠ ଡାକ୍ତରଙ୍କ ଦ୍ୱାରା ଚର୍ମ ରୋଗ, ଦନ୍ତ ରୋଗ, ଫିଜିଓଥେରାପି, ମେଡିସିନ ବିଭାଗ ଆଦି ରୋଗୀଙ୍କ ସ୍ୱାସ୍ଥ୍ୟ ପରାମର୍ଶ, ମେଲଭିନ୍ ଜୋନ୍ସ ଲାୟନ୍ସ ଆଇ ହସ୍ପିଟାଲ ଡାକ୍ତରମାନଙ୍କ ଦ୍ୱାରା ମାଗଣା ଚକ୍ଷୁ ଶିବିର ଓ ମୋତିଆ ବିନ୍ଦୁ ଚିକିତ୍ସା ଶିବିର, ଆର୍ୟୁବେଦ ଚିକିତ୍ସା ଶିବିରର ଆୟୋଜନ କରାଯାଉଥିବା ବେଳେ ଅପରାହ୍ନ ୪ ଘଟିକାରୁ କଲିକତାର ବିଶିଷ୍ଟ ଭଜନ ଗାୟକଙ୍କ ଦ୍ୱାରା ଭଜନ ସମାରୋହ କାର୍ଯ୍ୟକ୍ରମ କରାଯିବ । ସେହିପରି ନଭେମ୍ବର ୧ ତାରିଖ ଦିନ ନୂଆବଜାର ଗୋଶାଳା ଏବଂ ମାରୱାଡି କ୍ଲବ ତରଫରୁ ସକାଳ ୭ ଘଟିକା ସମୟରେ ପ୍ରଥମେ ଗୋମାତାଙ୍କ ପୂଜାର୍ଚ୍ଚନା କରାଯିବା ସହିତ ମେଳାର ଶୁଭାରମ୍ଭ କରାଯିବ । ପରେ ପରେ ଗୋ ସଜ୍ଜା, ଶିବ ଲିଙ୍ଗ ସଜ୍ଜା, ଭେଜିଟେବୁଲ କ୍ରାଫ୍ଟ ପ୍ରତିଯୋଗିତା ସହ ମୁଢ଼ିିରେ ଗହଣା ତିଆରି, ଡ୍ୟାନ୍ସ, ରାମାୟଣ କୁଇଜ ପ୍ରତିଯୋଗିତା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ ସମାରୋହ ଏବଂ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମରେ ମେୟର ସୁବାସ ସିଂହ ମୁଖ୍ୟ ଅତିଥିଭାବେ ଯୋଗଦେଉଥିବା ବେଳେ ସମ୍ମାନିତ ଅତିଥିଭାବେ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ, ସମାଜସେବୀ ତଥା ଉଦ୍ୟୋଗପତି ନନ୍ଦକିଶୋର ଟିବରୱାଲ, ସମାଜସେବୀ ବିଶ୍ୱନାଥ ଚୌଧୁରୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଆଜି ନୂଆବଜାର ସ୍ଥିତ ଗୋଶାଳା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗୋପାଳ କୃଷ୍ର ଗୋଶାଳାର ସାଧାରଣ ସମ୍ପାଦକ ଗଣେଶ ପ୍ରସାଦ କାଣ୍ଡୋଇ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଗୋଶାଳାର ଯୁଗ୍ମ ସମ୍ପାଦକ ଭିମଲ କୁମାର ପର୍ଶୁରାମ ପୁରିୟା, କୋଷାଧ୍ୟକ୍ଷ ସୁରେଶ କୁମାର ପୋଦାର ଏବଂ ସୂଚନା ଓ ଲୋକ ସର୍ମ୍ପକ ଅଧିକାରୀ ଅରୁଣ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଏହି ଗୋପାଷ୍ଟମୀ ମେଳାରେ ବହୁ ସଂଖ୍ୟାରେ ଭକ୍ତବୃନ୍ଦ ଯାଗଦେଇ ଗୋମାତାଙ୍କ ଆଶୀର୍ବାଦ ଲାଭ କରିବା ସହ ଏହି ନିଶ୍ଳୁକ ସ୍ୱାସ୍ଥ୍ୟ ଶିବରରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ନିମନ୍ତେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।