ମୁଖ୍ୟ ବିଚାରପତିଙ୍କ କୋର୍ଟରୁ ହିଁ କେବଳ ଲାଇଭ ଷ୍ଟ୍ରିମିଙ୍ଗ ହେବ
କଟକ : ହାଇକୋର୍ଟରୁ ଲାଇଭ ଷ୍ଟ୍ରିମିଙ୍ଗ ହେବାକୁ ନେଇ ଆରମ୍ଭ ହୋଇଥିବା ବିବାଦର ଏକ ପ୍ରକାର ଅନ୍ତ ହେବାକୁ ଯାଉଛି । କୋର୍ଟ ବର୍ଜନ ଭଳି ନିଷ୍ପତିକୁ ବର୍ତମାନ ପାଇଁ ସ୍ଥଗିତ ରଖିବାକୁ ହାଇକୋର୍ଟ ବାର୍ ଆସୋସିଏସନ୍ ନିଷ୍ପତି ନେଇଛି । ସୋମବାର ଅପରାହ୍ନ ଠାରୁ ମୁଖ୍ୟ ବିଚାରପତିଙ୍କ କୋର୍ଟରେ ଯୋଗ ଦେବାଲାଗି ହୋଇଥିବା ହାଇକୋର୍ଟ ଓକିଲ ସଂଘର ସାଧାରଣ ପରିଷଦ ବୈଠକରେ ନିଷ୍ପତି ହୋଇଛି ।
ଅନ୍ୟପଟେ ମୁଖ୍ୟ ବିଚାରପତିଙ୍କ କୋର୍ଟରୁ ହିଁ କେବଳ ଲାଇଭ ଷ୍ଟ୍ରିମିଙ୍ଗ ହେବ, ତାହା କେବଳ କୋର୍ଟ କାର୍ଯ୍ୟର ଦ୍ୱିତୀୟାର୍ଦ୍ଧରେ ହେବ ଏବଂ ସମସ୍ତ ମାମଲା ନୁହେଁ ବରଂ କେତେକ ନିର୍ଦ୍ଧିଷ୍ଟ ମାମଲାର ସିଧା ପ୍ରସାରଣ ହେବାକୁ ନିଷ୍ପତି ହୋଇଛି ବୋଲି ଆଜିର ସାଧାରଣ ପରିଷଦ ବୈଠକ ପରେ ସୂଚନା ଦେଇଛନ୍ତି ବାର୍ ସଭାପତି । ଗତ ୨ ତାରିଖରୁ ହାଇକୋର୍ଟରେ ଲାଇଭ ଷ୍ଟ୍ରିମିଙ୍ଗ ସେବା କାର୍ଯ୍ୟକାରୀ ହୋଇଛି, କିନ୍ତୁ ସେହିଦିନଠାରୁ ହାଇକୋର୍ଟ ବାର୍ ଏହାକୁ ବିରୋଧ କରି ଆସୁଥିଲା । ଏହା ଭିତରେ ବାର୍ ଏବଂ ବେଂଚ ଭିତରେ ବୈଠକ ହୋଇଛି, ଏବଂ ଏକ ଡେଲିଗସନ୍ ଟିମ୍ ମଧ୍ୟ ଗଠନ କରାଯାଇଛି । ତେବେ ପରବର୍ତୀ ନିଷ୍ପତି ନହେବା ଯାଏଁ, ଓକିଲମାନେ ମୁଖ୍ୟ ବିଚାରପତିଙ୍କ କୋର୍ଟରେ ଯୋଗ ଦେବେ ବୋଲି ବୈଠକରେ ନିଷ୍ପତି ହୋଇଛି ।