ଦନ୍ତା ଆକ୍ରମଣରେ ଜଣେ ଗୁରୁତର
ବାଙ୍କୀ : ବାଙ୍କୀ ଡମପଡା ବ୍ଲକର ପାଟପୁର ପଞ୍ଚାୟତର ଅମରେନ୍ଦ୍ରପୁର ଗ୍ରାମରେ ଦନ୍ତା ଆକ୍ରମଣରେ ଜଣେ ଗୁରୁତର । ଭୋର ସମୟରେ ରାଜକିଶୋର ସାହୁ ନାମକ ଜଣେ ବ୍ୟକ୍ତି ନିଜ ଘରୁ ବାହାରି ଗାଁ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲେ । ଏହି ସମୟରେ ରାତିରେ ଆସିଥିବା ହାତୀପଲ ମଧ୍ୟରୁ ଏକ ଦନ୍ତା ହାତୀ ନ ଯାଇ ଏକ ବୁଦା ମୂଳେ ଲୁଚି ରହିଯାଇଥିଲା ।
ରାଜକିଶୋର ଟର୍ଚ୍ଚ ଲାଇଟ୍ ପକାଇ ପୋଖରୀକୁ ଯିବାବେଳେ ଟର୍ଚ୍ଚ ଆଲୁଅ ଦେଖି ହାତୀ ଆସି ତାଙ୍କୁ ଟେକି କଚାଡି ଦେଇଥିଲା ବୋଲି ତାଙ୍କ ସମ୍ପର୍କୀୟ କହିଛନ୍ତି । ଫଳରେ ସେହି ବ୍ୟକ୍ତି ଜଣଙ୍କ ଅଳ୍ପକେ ବର୍ତ୍ତିଯାଇଥିଲେ । ଚିତ୍କାର ଶୁଣି ଗାଁଲୋକେ ପହଞ୍ଚିଯିବାରୁ ଦନ୍ତା ପାଖ ଜଙ୍ଗଲକୁ ପଳାଇ ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସକୁ ଡାକି ରାଜକିଶୋରଙ୍କୁ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେ ଏବେ ଚିକିତ୍ସାଧୀନ ଥିବାବେଳେ ଭଲ ରହିଛନ୍ତି । ଦୁଇ ଗୋଡରେ ଜୋର ଆଘାତ ଲାଗିଥିବା କହିଛନ୍ତି ସମ୍ପର୍କୀୟ ।