୮ରେ ବରିଷ୍ଠ ଅଧିକାରୀଙ୍କ ସହ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆସନ୍ତା ୧୨ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ମହାପଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନିମନ୍ତେ ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ଆସନ୍ତା ୮ ତାରିଖରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ, ଉକ୍ତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଆଇନ ମନ୍ତ୍ରୀ, ମୁଖ୍ୟଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ପୋଲିସ ମହାନିର୍ଦ୍ଦେଶକ, ସେବାୟତ, ଅନ୍ୟଅଧିକାରୀମାନେ ସାମିଲ ହେବେ । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କୋଭିଡ୍ କଟକଣା ଭିତରେ ତଥା ସୀମିତ ସେବାୟତ ଓ ପୋଲିସ କର୍ମଚାରୀଙ୍କ ମାଧ୍ୟମରେ ରଥ ଟାଣିବାର ବ୍ୟବସ୍ଥା ହେବ । ଭକ୍ତଙ୍କୁ ଅନୁମତି ମିଳିବ ନାହିଁ । କାରଣ କରୋନାର ପ୍ରଥମ ଲହର ଠାରୁ ଦ୍ୱିତୀୟ ଲହର ସଂକ୍ରମଣ ହାର ଅଧିକ ଥିବାରୁ କୋଭିଡ୍ କଟକଣାକୁ ଅଧିକ କଡ଼ାକଡ଼ି କରାଯିବ । ରଥଯାତ୍ରା କିପରି ଶୃଙ୍ଖଳିତ ଓ ସୁରୁଖୁରୁରେ ଶେଷ ହେବ ସେନେଇ ବୈଠକରେ ବିସ୍ତୃତ ଆଲୋଚନା ହେବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁସାରେ କାର୍ଯ୍ୟ ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ଜଣେ ବରିଷ୍ଠ ପଦାଧିକାରୀ ସୂଚନା ଦେଇଛନ୍ତି ।