ଆଜି ୧୯ ଜିଲାରେ ବଜ୍ରପାତ ସହିତ ବର୍ଷା ନେଇ ସତର୍କ ସୂଚନା ଜାରି

ଭୁବନେଶ୍ୱର : ରାଜ୍ୟରେ ଉପକୂଳ ଓଡ଼ିଶାର କେତେକ ଅଞ୍ଚଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ସୋମବାର ବଜ୍ରପାତ ସହିତ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏଥିପାଇଁ ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, କନ୍ଧମାଳ, ଢେଙ୍କାନାଳ ଏବଂ ବୌଦ୍ଧ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଉପରୋକ୍ତ ଜିଲାଗୁଡିକୁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି ଓ ଗଞ୍ଜାମରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ଏହି ସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସୂଚନା ଯେ, ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇଛି। ଖୋର୍ଦ୍ଧା, ନୟାଗଡ, ଭୁବନେଶ୍ୱର ଏବଂ କଟକରେ ବଜ୍ରପାତ ଓ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରବିବାର ଚାନ୍ଦବାଲି, ପାରାଦ୍ବୀପ, ଭୁବନେଶ୍ୱର, ଗୋପାଳପୁର, ଅନୁଗୋଳ, କେନ୍ଦୁଝର, ସମ୍ବଲପୁର, ହୀରାକୁଦ, ଭବାନୀପାଟଣା, ବଲାଙ୍ଗିର, କୋରାପୁଟ, ଟିଟିଲାଗଡ, ଦାରିଙ୍ଗବାଡି, ଛତ୍ରପୁର ଏବଂ ପାରଳାଖେମୁଣ୍ଡିରେ ବର୍ଷା ହୋଇଛି। ସନ୍ଧ୍ୟା ସୁଦ୍ଧା ଟିଟିଲାଗଡରେ ସବୁଠୁ ଅଧିକ ୫୪ ମିମି ବର୍ଷା ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ସମୁଦ୍ର ପତ୍ତନଠାରୁ ୧.୫ କିମି ଉଚ୍ଚରେ ଉତ୍ତର ପୂର୍ବ ବିହାରରୁ ଦକ୍ଷିଣ ଊପକୂଳ ଓଡ଼ିଶା, ଉତ୍ତର ପୂର୍ବ ଝାଡ଼ଖଣ୍ଡ ସହିତ ପଶ୍ଚିମବଙ୍ଗର ଗାଙ୍ଗେୟ ଉପତ୍ୟକା ମଧ୍ୟରେ ଏକ ନିମ୍ନଚାପ ରେଖା ଲମ୍ବିଛି। ଏହାର ପ୍ରଭାବରେ ବର୍ଷା ସହ ବଜ୍ରପାତ ହେଉଛି। ବର୍ଷା ସହ ବଜ୍ରପାତ ପାଇଁ ୧୯ ଜିଲାକୁ ସତର୍କ ସୂଚନା ଦିଆଯାଇଛି। ସେହିପରି ଆସନ୍ତା ୭ ଏବଂ ୮ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।