ରାଜ୍ୟର ପ୍ରଥମ ଡେଙ୍ଗୁ ମୃତ୍ୟୁ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଡରାଇଲାଣି ଡେଙ୍ଗୁ । ଗତ କିଛି ଦିନ ଧରି ମାଡ଼ି ଚାଲିଥିବା ଡେଙ୍ଗୁ ଭୟଙ୍କର ରୂପ ଧାରଣ କରିଛି। ଗତ ୭ ଦିନ ମଧ୍ୟରେ ଡମଣା ଓ ଶ୍ରୀବିହାର ଅଞ୍ଚଳରୁ ୨୦ରୁ ଅଧିକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।ଏବର୍ଷ ଏହା ପ୍ରଥମ ଡେଙ୍ଗୁ ମୃତ୍ୟୁ ବୋଲି କୁହାଯାଉଛି। ପ୍ରାଣ ହରାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଅବସରପ୍ରାପ୍ତ ପୁଲିସ ଅଧିକାରୀ ସୁଦର୍ଶନ ସେଠି । ଡେଙ୍ଗୁରେ ଆକ୍ରାନ୍ତ ହୋଇ ଗତ ୨ ତାରିଖରେ ସେ ଏକ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ। ନମୁନା ପରୀକ୍ଷାରୁ ତାଙ୍କୁ ଡେଙ୍ଗୁ ହୋଇଥିବା ସ୍ପଷ୍ଟ ହୋଇଥିଲା । ବୁଧବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ହସପିଟାଲ ସୂତ୍ରରୁ ଜଣାପଡିଛି ।
ଡେଙ୍ଗୁ ଏବେ ଅଣାୟତ୍ତ ପରିସ୍ଥିତିରେ ପହଞ୍ଚିଥିଲେ ମଧ୍ୟ ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି)ର ଉଦାସୀନତା ରାଜଧାନୀ ବାସିନ୍ଦାଙ୍କୁ ଚିନ୍ତାରେ ପକାଇ ଦେଇଛି। ଡମଣା ଓ ଶ୍ରୀବିହାରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ପ୍ରତିଦିନ ଘରୋଇ ଡାଇଗ୍ନୋଷ୍ଟିକ୍ରେ ପରୀକ୍ଷା ହେଉଥିବା ନମୁନା ମଧ୍ୟରୁ ୪ରୁ ୫ଜଣ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଏବଂ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଏପରିକି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ସବୁ ଘରୋଇ ହସ୍ପିଟାଲରେ ଏବେ ବହୁ ଡେଙ୍ଗୁ ଆକ୍ରାନ୍ତ ଭର୍ତ୍ତି ହୋଇଥିବାର ଖବର ମଧ୍ୟ ସାମ୍ନାକୁ ଆସିଛି। ମାତ୍ର ବିଏମ୍ସି ପାଖରେ ଖବର ନାହିଁ। ପ୍ରଶାସନ ମଧ୍ୟ ଏହାକୁ ମାନିବାକୁ ପ୍ରସ୍ତୁତ ନୁହେଁ। ବିଏମସିର ଏତାଦୃଶ ଆଚରଣ ନେଇ ସଂପୃକ୍ତ ଅଞ୍ଚଳରେ ଅସନ୍ତୋଷ ବ୍ୟାପୁଛି।