ରାଜ୍ୟରେ ୨୯% ଅଭାବୀ ବର୍ଷା ରେକର୍ଡ
ଭୁବନେଶ୍ୱର : ରାଜ୍ୟରେ ଲଘୁଚାପ ଜନିତ ବର୍ଷ ସତ୍ତ୍ୱେ ୨୫ ଜିଲାରେ ଅଭାବୀ ବର୍ଷା ହୋଇଛି । ଅଗଷ୍ଟ ମାସ ମଧ୍ୟ ସାରିବାକୁ ଥିବାବେଳେ ରାଜ୍ୟରେ ପାଗ ଶୁଖିଲା ଯୋଗୁଁ ମରୁଡ଼ି ପରିସ୍ଥିତି ସୃଷ୍ଟି ହେଲାଣି। ଗତ ୧୫ ତାରିଖରୁ ୧୮ ତାରିଖ ୩ଦିନ ଧରି ରାଜ୍ୟରେ ବର୍ଷା ହୋଇଥିଲେ ହେଁ ଏହା ନିଅଣ୍ଟିଆ ବର୍ଷା ସ୍ଥିତିକୁ ଭରଣା କରିବାରେ ଅକ୍ଷମ ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୯% ଅଭାବୀ ବର୍ଷା ରେକର୍ଡ କରାଯାଇଛି । ଅନ୍ୟପଟେ ଅଗଷ୍ଟ ଶେଷ ସପ୍ତାହରେ ବି ବର୍ଷାର ବିଶେଷ ସମ୍ଭାବନା ନଥିବାରୁ ନିଅଣ୍ଟିଆ ବର୍ଷା ସ୍ଥିତି ଆଗକୁ ଆହୁରି ଚିନ୍ତାଜନକ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଲେଣି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ରାଜ୍ୟରେ ଆଜିଠାରୁ ୫ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା କ୍ଷୀଣ। ସେହିପରି ଗତ ୧ ଜୁନ୍ରୁ ୧୯ ଅଗଷ୍ଟ ମଧ୍ୟରେ ରାଜ୍ୟରେ ୫୬୮.୮ ମିମି ବର୍ଷା ରେକର୍ଡ କରାଯାଇଛି। ଯାହାକି ସ୍ୱାଭାବିକ ବର୍ଷା ୭୯୭.୯ ମିମିଠାରୁ ୨୯% କମ୍ ରହିଛି। ଏହି ସମୟ ପରିଧି ମଧ୍ୟରେ ପାଖାପାଖି ୨୫ ଜିଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ଏଥିରେ ସର୍ବାଧିକ ଅଧିକ ପ୍ରଭାବିତ ହୋଇଛି ଯାଜପୁର ଜିଲା । ଏଠାରେ ୫୪% କମ୍ ବର୍ଷା ରେକର୍ଡ ହୋଇଥିବା ବେଳେ ଭଦ୍ରକରେ ୫୨%, କେନ୍ଦୁଝରରେ ୪୨% ଓ ବଲାଙ୍ଗୀରରେ ୪୧% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଯାଇଛି। ଅଗଷ୍ଟ ଶେଷ ସୁଦ୍ଧା ନିଅଣ୍ଟିଆ ବର୍ଷାର ପରିମାଣ ୫୦%କୁ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।