ଏବେ ଜଣେ ମହିଳା ଭାରତର ପ୍ରଧାନ ବିଚାରପତି ହେବାର ସମୟ ଆସିଛି
ନୂଆଦିଲ୍ଲୀ: ଏବେ ଜଣେ ମହିଳା ଭାରତର ପ୍ରଧାନ ବିଚାରପତି ହେବାର ସମୟ ଆସିଛି ବୋଲି ଦେଶର ସୁପ୍ରିମକୋର୍ଟ କହିଛନ୍ତି। ଏଥିସହିତ ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଏହା ସବୁସମୟରେ ମହିଳାମାନଙ୍କର ସ୍ୱାର୍ଥକୁ ମନଭତିରେ ରଖିଛନ୍ତି ଏବଂ ଏହାର ପ୍ରତ୍ୟେକ କଲେଜିୟମ ଉଚ୍ଚ ନ୍ୟାୟବ୍ୟବସ୍ଥାରେ ମହିଳାମାନଙ୍କୁ ବିଚାରପତି ଭାବରେ ନିଯୁକ୍ତି କରିବା ବିଷୟ ବିଚାର କରିଥାନ୍ତି। ଘର ଜଞ୍ଜାଳ, ବିଶେଷକରି ପିଲାମାନଙ୍କ ଶିକ୍ଷାଦୀକ୍ଷା ପ୍ରସଙ୍ଗ ଦର୍ଶାଇ ଅନେକ ଉପଯୁକ୍ତ ମହିଳା ଆଡ୍ଭୋକେଟ୍ ହାଇକୋର୍ଟର ବିଚାରପତି ହେବାକୁ ଅଗ୍ରାହ୍ୟ କରି ଦେଉଥିବାରୁ ହାଇକୋର୍ଟମାନଙ୍କରେ ମହିଳା ବିଚାରପତିଙ୍କ ସଂଖ୍ୟା ଅତି ନଗଣ୍ୟ ବୋଲି ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍ଡ଼େ କହିଛନ୍ତି। ଭାରତର ପ୍ରଧାନ ବିଚାରପତି ଶରଦ୍ ଅରବିନ୍ଦ ବୋବ୍ଡେ, ବିଚାରପତି ସଞ୍ଜୟ କେ. କୌଲ୍ ଏବଂ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠରେ ‘ସୁପ୍ରିମ୍ କୋର୍ଟ ଉଇମିନ୍ ଲୟର୍ସ ଆସୋସିଏସନ୍’ କରିଥିବା ଆବେଦନର ଶୁଣାଣି ବେଳେ ‘ସିଜେଆଇ’ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ହାଇକୋର୍ଟ ବିଚାରପତିମାନଙ୍କ ସଂଖ୍ୟା ଅନୁସାରେ ମହିଳା ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରାଯାଉ ବୋଲି ଆବେଦନରେ ଦାବି ହୋଇଥିଲା। ହାଇକୋର୍ଟ ପାଇଁ ମଞ୍ଜୁରି ମିଳିଥିବା ୧୦୮୦ ବିଚାରପତିଙ୍କ ମଧ୍ୟରୁ ଏବେ ମାତ୍ର ୬୬୧ଜଣ ବିଚାରପତି ଅଛନ୍ତି। ସେମାନଙ୍କ ମଧ୍ୟରୁ ମହିଳା ବିଚାରପତି ହେଉଛନ୍ତି ୭୩ଜଣ ବା ୧୧%।
ଦେଶର ସର୍ବୋଚ୍ଚ ଅଦାଲତ ୧୯୫୦ ଜାନୁଆରୀ ୨୬ରେ ସ୍ଥାପିତ ହେବା ଦିନଠାରୁ ଏହାର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ମନୋନୀତ ଜଷ୍ଟିସ ଏନ ଭି ରମନ୍ନାଙ୍କ ପର୍ଯ୍ୟନ୍ତ ୪୮ଜଣିଆ ପ୍ରଧାନ ବିଚାରପତି ତାଲିକାରେ ଜଣେହେଲେ ମହିଳାଙ୍କ ନାମ ସ୍ଥାନ ପାଇନାହିଁ। ସୂଚନାଯୋଗ୍ୟ ଯେ ଦେଶରେ ଥିବା ମେଧାବୀ ମହିଳା ଆଇନଜ୍ଞମାନଙ୍କୁ ବିଭିନ୍ନ ହାଇକୋର୍ଟରେ ବିଚାରପତି ଭାବରେ ନିଯୁକ୍ତି କରିବା ବିଷୟ ବିଚାର କରିବାକୁ ମହିଳା ଆଇନଜୀବୀମାନଙ୍କର ଏକ ଫୋରମ ପକ୍ଷରୁ ଆଗତ ଏକ ଆବେଦନର ଶୁଣାଣି କରିବା ଅବସରରେ ସୁପ୍ରିମକୋର୍ଟ ଏଭଳି ମତ ରଖିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଏସ ଏ ବୋବଡେ, ଜଷ୍ଟିସ ସଂଜୟ କିଷନ କଉଲ୍ ଏବଂ ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କୁ ନେଇ ଗଠିତ ମାନ୍ୟବର ସୁପ୍ରିମକୋର୍ଟଙ୍କର ଏକ ସ୍ୱତନ୍ତ୍ର ପୀଠ କହିଥିଲେ, କେବଳ ଉଚ୍ଚ ନ୍ୟାୟାଳୟ କାହିଁକି, ଜଣେ ମହିଳା ଭାରତର ପ୍ରଧାନବିଚାରପତି ହେବା ସମୟ ଆସିଛି ବୋଲି ସେମାନେ ମନେକରୁଛନ୍ତି। ସୁପ୍ରିମକୋର୍ଟ ୱିମେନ ଲୟର୍ସ ଆସୋସିଏସନ ପକ୍ଷରୁ ଉପସ୍ଥିତ ହୋଇ ଆଇନଜୀବୀ ସ୍ନେହା କାଲିତା ସୁପ୍ରିମକୋର୍ଟଙ୍କ ପୀଠ ନିକଟରେ କହିଥିଲେ ଯେ ଉଚ୍ଚ ନ୍ୟାୟ ବ୍ୟବସ୍ଥାରେ ମହିଳାମାନଙ୍କର ପ୍ରତିନିଧିତ୍ୱ ଅତ୍ୟନ୍ତ ନଗଣ୍ୟ ଏବଂ ତାହା ମାତ୍ର ୧୧.୦୪% ରହିଛି। ମାନ୍ୟବର ପୀଠ କହିଥିଲେ, ଉଚ୍ଚ ନ୍ୟାୟ ବ୍ୟବସ୍ଥାରେ ନିଯୁକ୍ତି କ୍ଷେତ୍ରରେ ଉପଯୁକ୍ତ ସଂଖ୍ୟାରେ ମହିଳାଙ୍କ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବାକୁ ସର୍ବୋଚ୍ଚ ଅଦାଲତ ପ୍ରୟାସ କରୁଛନ୍ତି। ପ୍ରତ୍ୟେକ କଲେଜିୟମ ନିଯୁକ୍ତି ପାଇଁ ମହିଳାମାନଙ୍କ ନାମ ବିଚାର କରିବା ଆବଶ୍ୟକ ବୋଲି ଅଦାଲତ ମତ ରଖିଥିଲେ। ମାନ୍ୟବର ପ୍ରଧାନ ବିଚାରପତି କହିଥିଲେ, ମହିଳା ଆଇନଜୀବୀଙ୍କୁ ଯେତେବେଳେ ହାଇକୋର୍ଟରେ ବିଚାରପତି ଭାବରେ ନିଯୁକ୍ତ କରାଯିବା ବିଷୟ କୁହାଯାଉଛି ସେତେବେଳେ ସେମାନେ ଘର ଦାୟିତ୍ୱ ଅଥବା ସେମାନଙ୍କ ପିଲାମାନଙ୍କ ପାଠପଢା ଦାୟିତ୍ୱ ଭଳି କାରଣ ଦର୍ଶାଇ ସେଥିପାଇଁ ରାଜି ହେଉନଥିବା ସମ୍ପର୍କରେ ହାଇକୋର୍ଟ ମୁଖ୍ୟ ବିଚାରପତିମାନେ ତାଙ୍କୁ କହିଛନ୍ତି। ତେବେ ସର୍ବୋଚ୍ଚ ଅଦାଲତଙ୍କ ପୀଠ କହିଥିଲେ ଯେ, ମହିଳାମାନଙ୍କର ସ୍ୱାର୍ଥ ସେମାନଙ୍କ ମନଭିତରେ ରହିଛି। ସେଥିରେ ଭାବନାତ୍ମକ ପରିବର୍ତ୍ତନ ହୋଇନାହିଁ ।