ପଟ୍ଟା ନାହିଁ ତ ଭୋଟ୍ ନାହିଁ ! ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଲେ ବଲାଙ୍ଗିର ପୌରାଞ୍ଚଳର ୨୦ ନମ୍ବର ୱାର୍ଡବାସୀ

ବଲାଙ୍ଗିର : ବଲାଙ୍ଗିର ପୌର ନିର୍ବାଚନ। ଚର୍ଚ୍ଚାରେ ରହିଛି ପୌରାଞ୍ଚଳର ୨୦ ନମ୍ବର ୱାର୍ଡ। ଆସନ୍ତା ୨୪ ତାରିଖରେ ବିଧିବଦ୍ଧ ଭାବେ ପୌର ନିର୍ବାଚନ ହେବ। କିନ୍ତୁ କିଛି ଦିନ ତଳେ ୱାର୍ଡର ଗୋଟିଏ ପଡ଼ାବାସୀ ନିର୍ବାଚନରେ କେହି ପ୍ରାର୍ଥୀ ହେବେ ନାହିଁ କି ଭୋଟ୍ ଦେବେ ନାହିଁ ବୋଲି ବୈଠକ କରି ଘୋଷଣା କରିଥିଲେ। ଆଉ ଏବେ ଆଉ ଗୋଟିଏ ପଡ଼ାର ଲୋକେ ନୂଆ ଢଙ୍ଗରେ ଭୋଟ୍ ଦେବେ ନାହିଁ ବୋଲି କହିଛନ୍ତି।
ପୌରାଞ୍ଚଳର ଇଚ୍ଛାପଡ଼ା, ଇନ୍ଦିରାନଗର, ପେଲେସ୍ ଲାଇନ ସହ କୋଶଲ ନଗରକୁ ନେଇ ୨୦ ନମ୍ବର ୱାର୍ଡ ଗଠିତ। କିଛି ମାସ ହେଲା ମହାରାଣୀ ସାଗରର ଉନ୍ନତିକରଣ ଓ ଜିଲାପାଳଙ୍କ କାର୍ଯ୍ୟାଳୟର ନୂତନ କୋଠା ନିର୍ମାଣ ପାଇଁ ଏହି ପଡ଼ା ଅଞ୍ଚଳରେ ସରକାରୀ ଜାଗାରେ ଘର କରି ରହୁଥିବା ଲୋକଙ୍କୁ ଉଚ୍ଛେଦ ପାଇଁ ନୋଟିସ୍ ଦିଆଯାଇଛି। ସହରର ଅନେକ ବଡ ବଡିଆ ଓ ସରକାରୀ କର୍ମଚାରୀ ସରକାରୀ ଜାଗା ମାଡି କୋଠା ନିର୍ମାଣ କରି ରହୁଛନ୍ତି। ଦୀର୍ଘ ଦିନ ହେଲା ଘର କରି ଭଡା ଲଗାଇଛନ୍ତି। ସେହିପରି ଉଚ୍ଛେଦ ହେବାକୁ ଥିବା ଗରିବ ପରିବାରକୁ ସରକାରଙ୍କ ଜାଗା ମିଶନ ଯୋଜନାରେ ସାମିଲ କରାଯାଇ ସହାୟତା ଦେବାକୁ ପ୍ରଶାସନ ଘୋଷଣା କରିଛନ୍ତି। ତେବେ ପ୍ରଶାସନର ପ୍ରତିଶ୍ରୁତି ପରେ ବି ଇଚ୍ଛାପଡ଼ା ଓ ଇନ୍ଦିରା ନଗରବାସୀଙ୍କ ମଧ୍ୟରେ ଅସନ୍ତୋଷ। କିଛି ଦିନ ତଳେ ଇଚ୍ଛାପଡ଼ାର ଲୋକେ ବୈଠକ କରି ଭୋଟ୍ ବର୍ଜନ କରିବେ ବୋଲି ବୈଠକରେ ସ୍ଥିର କରିଥିଲେ। ପଡ଼ା ସହ ସହରର ବିଭିନ୍ନ ସ୍ଥାନରେ ‘ପଟ୍ଟା ନାହିଁ ତ ଭୋଟ୍ ନାହିଁ’ ପୋଷ୍ଟର ଲଗାଇଥିଲେ। ଏନେଇ ପ୍ରଶାସନକୁ ଖୋଲା ଆହ୍ୱାନ ଦେଇଛନ୍ତି ଇନ୍ଦିରା ନଗର ପଡ଼ାର ଲୋକେ। ପୌର ନିର୍ବାଚନକୁ ଆଖିରେ ରଖି କିଛି ବଡବଡିଆ ପର୍ଦ୍ଦା ଆଢୁଆଳରେ ରହି ଗରିବଙ୍କୁ ବ୍ୟବହାର କରି ପ୍ରଶାସନ ଉପରେ ଚାପ ପ୍ରୟୋଗ ପାଇଁ ବିଭିନ୍ନ କୌଶଳ ଆପଣାଉଥିବା ଚର୍ଚ୍ଚା ହେଉଛି। ଜିଲା ପ୍ରଶାସନ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।