ଆରସିବିରେ ଯୋଗଦେଲେ ନ୍ୟୁଜିଲ୍ୟାଣ୍ଡର ଷ୍ଟାର ଅଲରାଉଣ୍ଡର ମାଇକେଲ ବ୍ରେସୱେଲ
![](https://thetruths.in/wp-content/uploads/2023/03/Michael-Bracewell.jpg)
ନୂଆଦିଲ୍ଲୀ : ଆଇପିଏଲକୁ ନେଇ ବଡ଼ ଅପଡେଟ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ଖେଳିବେ ନ୍ୟୁଜିଲ୍ୟାଣ୍ଡର ଷ୍ଟାର ଅଲରାଉଣ୍ଡର ମାଇକେଲ ବ୍ରେସୱେଲ । ୱିଲ ଜ୍ୟାକ୍ସଙ୍କ ବଦଳରେ ଆରସିବି ବ୍ରେସୱେଲଙ୍କୁ ନିଜ ସମୟ ସାମିଲ କରିଛି । ତାଙ୍କୁ ମୂଳଦର ୧ କୋଟି ଟଙ୍କାରେ ଆରସିବି କିଣିଛି ।
ଆଇପିଏଲ ନିଲାମ ବେଳେ ଆରସିବି ୱିଲ ଜ୍ୟାକ୍ସଙ୍କୁ କିଣିଥିଲା । କିନ୍ତୁ ନିକଟରେ ଶେଷ ହୋଇଥିଲା ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ୍ରେ ଏହି ଷ୍ଟାର ଇଂଲଣ୍ଡ ଖେଳାଳି ଜଣଙ୍କ ଆହତ ହୋଇଥିଲେ । ତେଣୁ ସେ ଆଇପିଏଲରୁ ବାଦ ପଡ଼ିଛନ୍ତି । ୩୨ ବର୍ଷୀୟ ବ୍ରେସୱେଲଙ୍କ ପାଖରେ ଭାରତରେ ଖେଳିବାର ଅଭିଜ୍ଞତା ରହିଛି । ନିକଟରେ ଶେଷ ହୋଇଥିବା ଭାରତ ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ୍ରେ ସେ ନିଜର ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ । ଏଯାଏ ସେ ୧୧୭ ଟି-୨୦ ମ୍ୟାଚ୍ ଖେଳି ୩୦.୮୬ ହାରରେ ୨୨୮୪ ରନ କରିଛନ୍ତି । ତାଙ୍କ ନାଁରେ ଗୋଟିଏ ଶତକ ଓ ୧୩ଟି ଅର୍ଦ୍ଧଶତକ ରହିଛି । ସେ ୪୦ଟି ୱିକେଟ ମଧ୍ୟ ନେଇଛନ୍ତି । ଭାରତ ବିପକ୍ଷ ଦିନିକିଆରେ ସେ ୧୪୦ ରନ କରିଥିଲେ । ସେହିପରି ଟି-୨୦ ସିରିଜ୍ରେ ନ୍ୟୁଜିଲ୍ୟାଣ୍ଡ ପାଇଁ ସର୍ବାଧିକ ୱିକେଟ ଦଖଲକାରୀ ବୋଲର ମଧ୍ୟ ବନିଥିଲେ ।
ଆଇପିଏଲ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଇଂଲଣ୍ତ ବ୍ୟାଟର ୱିଲ ଜ୍ୟାକ୍ସଙ୍କୁ ଆରସିବି ୩.୨ କୋଟି ଟଙ୍କାରେ କିଣିଥିଲା । ହେଲେ ସେ ଆହତ ହୋଇଥିବାରୁ ଟାଟା ଆଇପିଏଲ ୨୦୨୩ରୁ ବାଦ ପଡ଼ିଛନ୍ତି । ତାଙ୍କ ବଦଳରେ ଆରସିବି ବ୍ରେସୱେଲଙ୍କୁ ନିଜ ସହ ସାମିଲ କରିଛି । ୧ କୋଟି ଟଙ୍କାରେ ସେ ଆରସିବିରେ ଯୋଗଦେବେ । ବ୍ରେସୱେଲ ୧୬ଟି ଅନ୍ତର୍ଜାତୀୟ ଟି-୨୦ ଖେଳି ୧୧୩ ରନ କରିବା ସହ ୨୧ଟି ୱିକେଟ ଦଖଲ କରିଛନ୍ତି ।