ଶ୍ରୀଲଙ୍କାକୁ ଶେଷ ବଲରେ ମାତ୍ ଦେଲା ନ୍ୟୁଜିଲାଣ୍ଡ, ଡବ୍ଲୁଟିସି ଫାଇନାଲରେ ଭାରତ
![](https://thetruths.in/wp-content/uploads/2023/03/Team-India-in-WTC-1024x768.png)
ନୂଆଦିଲ୍ଲୀ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଜାରି ରହିଛି । ଏହି ମ୍ୟାଚର ଆଜି ପଞ୍ଚମ ଦିନର ଖେଳ ଜାରି ରହିଛି । ଏହି ସମୟରେ ଟିମ୍ ଇଣ୍ଡିଆକୁ ସବୁଠାରୁ ବଡ଼ ଉପହାର ମିଳିଛି । ଅହମ୍ମଦାବାଦରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ କଙ୍ଗାରୁ ଦଳ ବିପକ୍ଷରେ ସଂଘର୍ଷ କରୁଛନ୍ତି । ଏହି ସମୟରେ ଟିମ ଇଣ୍ଡିଆକୁ ନ୍ୟୁଜିଲାଣ୍ଡ ଦ୍ୱାରା ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲର ଟିକେଟ୍ ଗିଫ୍ଟରେ ମିଳିଛି । ଶେଷ ବଲ ପର୍ଯ୍ୟନ୍ତ ଚାଲିଥିବା ଏହି ରୋମାଞ୍ଚକର ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଶ୍ରୀଲଙ୍କାକୁ ୨ ୱିକେଟରେ ପରାସ୍ତ କରିଛି । ଶେଷ ବଲରେ ନ୍ୟୁଜିଲ୍ୟାଣ୍ଡକୁ ଜିତିବା ପାଇଁ ଗୋଟିଏ ରନର ଆବଶ୍ୟକତା ଥିଲା ଓ ବଲ୍ କେନ୍ ୱିଲିୟମସନଙ୍କ ବ୍ୟାଟକୁ ନ ଲାଗିବା ସତ୍ତ୍ୱେ ସେ ଦୌଡ଼ି ୧ ରନ୍ ପୂରା କରିନେଇଥିଲେ । ଏହା ସହିତ ଶ୍ରୀଲଙ୍କା ଡବ୍ଲୁଟିସି ଫାଇନାଲ ରେସରୁ ବାହାର ହୋଇଯାଇଛି । ଅନ୍ୟପଟେ ଭାରତୀୟ ଦଳ ପାଇଁ ଫାଇନାଲକୁ ଯିବାର ରାସ୍ତା ସଫା ହୋଇଯାଇଛି ।
ପ୍ରକୃତରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଟାଇଟଲ୍ ମ୍ୟାଚ୍ରେ ପହଞ୍ଚିବା ପାଇଁ ଅହମ୍ମଦାବାଦରେ ଭାରତକୁ ଏକ ବିଜୟର ଆବଶ୍ୟକତା ଥିଲା । ଅନ୍ୟପକ୍ଷରେ ଶ୍ରୀଲଙ୍କା ଉଭୟ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବାର ଆବଶ୍ୟକତା ଥିଲା । ପ୍ରଥମ ଟେଷ୍ଟ ମ୍ୟାଚ୍ରେ ହିଁ ନ୍ୟୁଜିଲ୍ୟାଣ୍ଡ ଶ୍ରୀଲଙ୍କାକୁ ପରାସ୍ତ କରିଛି । ତେଣୁ ଭାରତକୁ ଫାଇନାଲ ଟିକେଟ ମିଳିଯାଇଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ଦଳ କ୍ରମାଗତ ଦ୍ୱିତୀୟ ଥର ପାଇଁ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲ ଖେଳିବ । ଏହି ମ୍ୟାଚ ଜୁନ ୭ରେ ଇଂଲଣ୍ଡରେ ଅନୁଷ୍ଠିତ ହେବାର ଅଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଡବ୍ଲୁଟିସି ଫାଇନାଲ ମ୍ୟାଚ୍ ଖେଳାଯିବାର ଅଛି ।
ଏହି ମ୍ୟାଚରେ ଶ୍ରୀଲଙ୍କା ୨୮୫ ରନ୍ର ଟାର୍ଗେଟ ଦେଇଥିଲା । ଏହାର ଜବାବରେ ଆୟୋଜକ ଦଳ ୭୦ ଓଭରରେ ୮ ୱିକେଟ ହରାଇ ୨୮୫ ରନର ଲକ୍ଷ୍ୟ ପୂରା କରିନେଇଥିଲା । ପଞ୍ଚମ ଦିନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବର୍ଷା ଯୋଗୁଁ ଖେଳାଯାଇ ପାରି ନଥିଲା, କିନ୍ତୁ ଯେତେବେଳେ ଖେଳ ଆରମ୍ଭ ହେଲା, କେନ୍ ୱିଲିୟମ୍ସନ୍ ଓ ଡ୍ୟାରିଲ୍ ମିଚେଲ ଚମତ୍କାର ବ୍ୟାଟିଂ କରିଥିଲେ । ଶତକରୁ ବଞ୍ଚିତ ହୋଇଥିବା ମିଚେଲ ୮୬ ବଲରେ ୮୧ ରନ ସଂଗ୍ରହ କରିଥିଲେ । ତାଙ୍କର ଏହି ଇନିଂସରେ ୩ ଚୌକା ଓ ୪ ଛକା ସାମିଲ ଥିଲା । ଟମ ଲାଥାମ ୨୪ ଓ ହେନେରୀ ନିକୋଲ୍ସ ୨୦ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ଚମତ୍କାର ବ୍ୟାଟିଂ କରି ପୂର୍ବତନ ଅଧିନାୟକ କେନ୍ ୱିଲିୟମସନ ନିଜର ୨୭ତମ ଟେଷ୍ଟ ଶତକ ହାସଲ କରିଥିଲେ ।