ରାଜଧାନୀରେ ଗଡ଼ିବ ମେଟ୍ରୋ! ସମୀକ୍ଷା କଲେ ୫-ଟି ସଚିବ ଓ ବରିଷ୍ଠ ଅଧିକାରୀ
![](https://thetruths.in/wp-content/uploads/2023/04/BBSR-Metro-Review.jpg)
ଭୁବନେଶ୍ୱର : ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ମେଟ୍ରୋ ସିଟି ହୋଇପାରେ ରାଜ୍ୟର ରାଜଧାନୀ ଭୁବନେଶ୍ବର । ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମାନେ ଏନେଇ ସର୍ଭେ କରିଛନ୍ତି । ଭୁବନେଶ୍ବରରେ ମେଟ୍ରୋ ଟ୍ରେନ ଗଡ଼ିବା ନେଇ ସୁବିଧା ଅଛି କି ନାହଁ, କେଉଁଠାରୁ କେଉଁ ସ୍ଥାନକୁ ମେଟ୍ରୋ ଟ୍ରେନ ଗଡ଼ିବ, ଏଥିଲାଗି କ’ଣ କ’ଣ ଆବଶ୍ୟକତା ରହିଛି, ସେନେଇ ପୁଙ୍ଖାନୁଫୁଙ୍ଖ ଭାବେ ଆଲୋଚନା କରାଯାଇଛି । ତେବେ ଉତ୍କଳ ଦିବସରେ ଏହା ରାଜ୍ୟବାସୀଙ୍କୁ ସରକାରଙ୍କ ଭେଟି ବୋଲି କୁହାଯାଉଛି । ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଓଡ଼ିଶାବାସୀ । ଖୁବଶୀଘ୍ର ରାଜଧାନୀରେ ମେଟ୍ରୋ ରେଳ ଯୋଜନାକୁ କାର୍ଯ୍ୟକାରୀ କରିବା ନେଇ ଆଶା ରଖାଯାଇଛି ।
ମେଟ୍ରୋ ଟ୍ରେନ ଗଡ଼ିବା ଦ୍ବାରା ଅନେକ ଲୋକ ଉପକୃତ ହେବା ସହ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି ଆଶା ରଖାଯାଇଛି । ତେବେ ଏହାକୁ କାର୍ଯ୍ୟକାରୀ କରିବା ନେଇ ଶନିବାର ଦିନ ଏକ ସର୍ଭେ କରାଯାଇଛି । ଏହି ସର୍ଭେ କାର୍ଯ୍ୟକ୍ରମରେ ୫-ଟି ସଚିବ ଭି. କାର୍ତ୍ତିକେୟନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଉନ୍ନୟନ କମିଶନରେ ଅନୁ ଗର୍ଗ, ପରିବହନ ସଚିବ ଉଷା ପାଢୀ, ଗୃହ ଓ ନଗର ଉନ୍ନୟମ ବିଭାଗ ସଚିବ ଜି ମାଥିଭାଥାନନ୍ , ଆଇଟି ପ୍ରମୁଖ ସଚିବ ମନୋଜ ମିଶ୍ର, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାମିଲ ଥିଲେ ।
ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ଏହି ଟିମ୍ ଭୁବନେଶ୍ବର ବିମାନ ବନ୍ଦର, ରେଳୱ ଷ୍ଟେସନ, ବାଣୀବିହାର, ପଟିଆ, ନନ୍ଦନକାନନ, ଜୟଦେବ ବିହାର ଓ ତ୍ରିଶୁଳିଆ ଅଞ୍ଚଳ ଗ୍ରସ୍ତ କରି ଏ ନେଇ ସମୀକ୍ଷା କରିଛନ୍ତି । କେଉଁ କେଉଁ ରୁଟ ଦେଇ ମେଟ୍ରୋ ଟ୍ରେନ ଯାତାୟତ କରିବ ସେ ନେଇ ସମୀକ୍ଷା କରାଯାଇଛି । ଟ୍ରାଫିକ୍ ବ୍ୟବସ୍ଥାଠାରୁ ଆରମ୍ଭ କରି ପାର୍କିଂ ଯାଏଁ ସମସ୍ତ ଦିଗକୁ ନଜରରେ ରଖି ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଛି । ଭୁବନେଶ୍ବର ବିମାନ ବନ୍ଦରରୁ ଆରମ୍ଭ କରି ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ ଗଢିବା ନେଇ ଯୋଜନା ରହିଛି ।