ଘରବାହୁଡ଼ା ପରେ ବିଧାୟକ ସୁକାନ୍ତଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ବିଜେଡିର ବହୁ ତୁଙ୍ଗ ନେତା ଓ କର୍ମୀ
ନୀଳଗିରି : ନୀଳଗିରି ନିର୍ବାଚନ ମଣ୍ଡଳୀ ବାହାନଗା ଓ ନୀଳଗିରି ବ୍ଲକ ବିଜେଡ଼ି ଦଳର ବହୁ ବରିଷ୍ଠ ନେତା ଓ କର୍ମୀ ଆଜି ନୀଳଗିରି ବିଧାୟକଙ୍କ କାର୍ଯ୍ୟଳୟରେ ଉପସ୍ଥିତ ରହି ବିଜେପି ଛାଡ଼ି ବିଜେଡିରେ ପୁନର୍ବାର ଘରବାହୁଡ଼ା କରିଥିବା ବିଧାୟକ ସୁକାନ୍ତ ନାୟକଙ୍କୁ ଭେଟି ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ନୀଳଗିରି ମାଟିରେ ବିଜେଡି ଦଳର ପ୍ରତିଷ୍ଠାତା ସଦସ୍ୟ ଭାବରେ ଦଳର ସଂଗଠନକୁ ମଜବୁତ କରିବା ଏବଂ ବିଜେପି ବିଜେଡ଼ି ମେଣ୍ଟ ସରକାର ଭାଙ୍ଗିବା ପରେ ୨୦୧୪ମସିହାରେ ପ୍ରଥାମଥର ବିଜେଡ଼ି ଟିକେଟରେ ଲଢି ବିପୁଳ ବିଜୟ ହାସଲ କରିଥିବା ସୁକାନ୍ତ ବାବୁଙ୍କ ଲୋକପ୍ରିୟତାକୁ ଖୁବ୍ ପ୍ରଶଂସା କରିଥିଲେ ବିଜେଡିର ବରିଷ୍ଠ ନେତା ତଥା ବାହାନଗା ବ୍ଲକ ପଥରପେଣ୍ଠ ପଞ୍ଚାୟତ ସମିତି ସଭ୍ୟ ଶରତ ରାଜ।
ସୂଚନା ଅନୁଯାୟୀ ୨୦୧୯ମସିହାରେ ସୁକାନ୍ତ ବିଜେଡ଼ି ଛାଡି ବିଜେପିରେ ଯୋଗଦେବା ପରେ ବିଜେପି ଟିକେଟରେ ଲଢି ପୁନର୍ବାର ଦ୍ଵିତୀୟ ଥର ପାଇଁ ନିର୍ବାଚିତ ହୋଇଥିଲେ। ଶେଷରେ ଚଳିତ ୨୦୨୪ସାଧାରଣ ନିର୍ବାଚନରେ ବିଜେପି ମୋହ ଭଙ୍ଗ ହେବାପରେ ପୁନର୍ବାର ବିଜେଡିରେ ଯୋଗଦାନ କରିଛନ୍ତି। ତାଙ୍କର ଲୋକପ୍ରିୟତାକୁ ଆଧାର କରି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳକୁ ଆଦରି ନେଇଛନ୍ତି। ତାଙ୍କର ଏହି ଘରବାହୁଡା ଅବସରରେ ବରିଷ୍ଠ ବିଜେଡି ନେତା ଶରତ ରାଜଙ୍କ ନେତୃତ୍ୱରେ ବାହାନଗା ବ୍ଲକର ବିଭିନ୍ନ ପଞ୍ଚାୟତର ବହୁ ବରିଷ୍ଠ ନେତା ଓ କର୍ମୀ ବିଧାୟକଙ୍କ କାର୍ଯ୍ୟଳୟରେ ଉପସ୍ଥିତ ରହି ବିଧାୟକଙ୍କୁ ଉତ୍ତରୀୟ ସହିତ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ନୀଳଗିରି ବ୍ଲକ୍ ସଭାପତି ବିଜୟ କୁମାର ଲେଙ୍କାଙ୍କ ଉପସ୍ଥିତିରେ ୧୮ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ନୀଳାମ୍ବର ମହାଳିକ, ପଥରପେଣ୍ଠର ପୂର୍ବତନ ସରପଞ୍ଚ ଦିଗମ୍ବର ମହାଳିକ, ୧୯ନଂ ଜୋନର ମିନପ୍ରଭା ଶିଅଳ, ରତ୍ନାକର ସାହୁ, ଶ୍ରୀଧର ମହାନ୍ତି, କରୁଣାକର ବେହେରା, ସାଲିସ ରଞ୍ଜନ ବିହାରୀ, ରବିନାରାୟଣ ରାଜ, ପ୍ରଫୁଲ୍ଲ ମହାପାତ୍ର, ଜୟନ୍ତ ସାହୁ, ଧୀରେନ୍ଦ୍ର ମୁଦୁଲି, ଜଳଧର ନାୟକ, ଗୟାଧର ରାଜ ପ୍ରମୁଖ ବହୁ ବରିଷ୍ଠ ନେତା ଓ କର୍ମୀ ସମ୍ବର୍ଦ୍ଧନା ସଭାରେ ସାମିଲ ହୋଇ ବିଧାୟକଙ୍କୁ ଦଳକୁ ପାଛୋଟି ନେଇଥିଲେ। ତେବେ ଆଗାମୀ ନିର୍ବାଚନରେ ପୁନର୍ବାର ସୁକାନ୍ତ ନାୟକଙ୍କୁ ବିଧାୟକ ରୂପରେ ଦେଖିବାକୁ ଚାହୁଁଥିବା ଉପସ୍ଥିତ ନେତାମାନେ କହିଥିଲେ ହେଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ସର୍ବମାନ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଅପରପକ୍ଷରେ ଯୁବ ବିଜୁଜନତା ଦଳ ଉଭୟ ନୀଳଗିରି ଓ ଔପଦା ତରଫରୁ ସନ୍ଧ୍ୟାରେ ବିଧାୟକଙ୍କୁ ତାଙ୍କ କାର୍ଯ୍ୟଳୟରେ ଭେଟି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଶୁଭେଚ୍ଛା ସମାରୋହରେ ଔପଦା ବ୍ଲକ୍ ଯୁବଜନତା ଦଳ ସଭାପତି ବିସ୍ମୟ ମଲ୍ଲିକ, ଜିଲ୍ଲା ସାଧାରଣ ସମ୍ପାଦକ ପରେଶ କୁମାର ସେଠୀ, ସାଧାରଣ ସମ୍ପାଦକ କୌଶିକ ମହାନ୍ତି, ଦକ୍ଷିଣ ନରସିଂହପୁର ପଞ୍ଚାୟତ ସଭାପତି କାର୍ତ୍ତିକ ପୁଥାଳ, ଗଗନ ବାରିକ, ଶରତ ଜେନା, ସଞ୍ଜୀବ ବେହେରା, ସରୋଜ ବାରିକ ପ୍ରମୁଖ ସାମିଲ ଥିଲେ।