ସିନ୍ଦୋଳ ପଞ୍ଚାୟତର ଚାଷୀଙ୍କ ଠାରୁ ମଙ୍ଗଳପୁର ସମବାୟ ସମିତି ଧାନ କ୍ରୟ କରିବାକୁ ଦାବି
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ସିନ୍ଦୋଳ ପଞ୍ଚାୟତର ଚାଷୀମାନଙ୍କ ଠାରୁ ଧାନ କ୍ରୟ କରିବା ପାଇଁ ମଙ୍ଗଳପୁର ସେବା ସମବାୟ ସମିତିକକୁ ଅନୁମତି ପ୍ରଦାନ କରାଯିବାକୁ ଚାଷୀମାନଙ୍କ ପକ୍ଷରୁ ଦାବି କରାଯାଇଛି । ଏ ସମ୍ପର୍କରେ ପୂର୍ବତନ ସରପଞ୍ଚ ବୈକୁଣ୍ଠନାଥ ପାଣି, ଚାଷୀ ମେନକା ବାରିକକ, ରମେଶ ଦାସ, ଭକ୍ତହରି ପାଣି, ରାମଚନ୍ଦ୍ର ପାଣି, ଉମାକାନ୍ତ ପାଣି, ପ୍ରଦୀପ ଦାସ, ଅନିରୁଦ୍ଧ ବାରିକ, ରାମହରି ବାରିକ, ପ୍ରତାପ ଲେଙ୍କା, ପ୍ରହଲ୍ଲାଦ ଲେଙ୍କା, ଆନନ୍ଦ ପୃଷ୍ଟି, ସୁଧାକର ଜେନା, ରାଧାଶ୍ୟାମ ଦାସ, ହରିହର ବାରିକ, ଶ୍ରୀଧର ବାରିକ, ସାବିତ୍ରୀ ମଲ୍ଲିକ ପ୍ରମୁଖ ଶତାଧିକ ଚାଷୀ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ରକାଶ ଯେ, କିଛିବର୍ଷ ପୂର୍ବରୁ ମଙ୍ଗଳପୁର ସେବା ସମବାୟ ସମିତି ମାଧ୍ୟମରେ ଚାଷୀମାନେ ସୁଚାରୁରୂପେ ଧାନ ବିକ୍ରି କରିଆସୁଥିଲେ । ମାତ୍ର ଗତ ତିନିବର୍ଷ ହେବ ପଞ୍ଚାୟତର ଲକ୍ଷ୍ମୀନାରାୟଣ ମହିଳା ମହାସଂଘ ଚାଷୀମାନଙ୍କ ଠାରୁ ଧାନ କ୍ରୟ କରୁଥିଲା । ମାତ୍ର ଧାନ କ୍ରୟରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଥିଲା । ଚାଷୀମାନେ ଗତ ୧୯.୩.୨୦୨୨ ରିଖରେ ଅନିୟମିତତା ସମ୍ପର୍କରେ ତତ୍କାଳୀନ ବ୍ଲକ ଯୋଗାଣ ନିରୀକ୍ଷକଙ୍କୁ ଲିଖିତଭାବେ ଜଣାଇଥିଲେ । ଅଭିଯୋଗ ପାଇବା ପରେ ଯୋଗାଣ ନିରୀକ୍ଷକ ଅଭିଯୋଗର ତଦନ୍ତ କରି ମହିଳା ମହାସଂଘର ଧାନକ୍ରୟର ଅନିୟମିତା ଜାଣିବା ପରେ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅବଗତ କରାଇଥିଲେ । ମହିଳା ମହାସଂଘ ଚାଷୀ ପଞ୍ଜୀକରଣରେ ବ୍ୟତିକ୍ରମ କରିବାରୁ ଚାଷୀମାନେ ଧାନ ବିକ୍ରି କରିପାରିନଥିଲେ । ତେବେ ପୂର୍ବରୁ ଯେଉଁ ମଙ୍ଗଳପୁର ସେବା ସମବାୟ ସମିତିରେ ଚାଷୀମାନେ ଧାନ ବିକ୍ରି କରୁଥିଲେ ସେହିପରି ସମବାୟ ସମିତିରେ ଧାନ ବିକ୍ରି କରିବାକୁ ଅନୁମତି ପ୍ରଦାନ କରିବା ସହିତ ସିନ୍ଦୋଳ ପଞ୍ଚାୟତରେ ଏକ ଧାନ କ୍ରୟ କେନ୍ଦ୍ର ଖୋଲି ସପ୍ତାହକୁ ଦୁଇଥର ଚାଷୀମାନଙ୍କ ଠାରୁ ଧାନ କ୍ରୟ କରାଯିବାକୁ ଅନୁମତି ଦିଆଯିବାକୁ ଦାବି କରାଯାଇଛି ।