୫ରେ ତୃତୀୟ ଇନିଂସ ଆରମ୍ଭ କରିବେ ମମତା ବାନାର୍ଜୀ
କୋଲକାତା : ୨୦୨୧ ବିଧାନସଭା ନିର୍ବାଚନରେ ବିପୁଳ ଭୋଟରେ ବିଜୟ ହାସଲ କରିବା ପରେ ଏବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ପ୍ରସ୍ତୁତ ହେଉଛନ୍ତି ତୃଣମୂଳ କଂଗ୍ରେସ(ଟିଏମସି)ର ସୁପ୍ରିମୋ ମମତା ବାନାର୍ଜୀ। ଗତକାଲି ଫଳାଫଳ ଆସିବା ପରେ ମେ’ ୫ରେ ଟିଏମସି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଆଜି ଟିଏମସି ବୈଠକରେ ସର୍ବସମ୍ମତିକ୍ରମେ ମମତା ବାନାର୍ଜୀଙ୍କୁ ବିଧାୟକ ଦଳ ନେତା ବଛାଯାଇଛି। ଶପଥ ଗ୍ରହଣ ସମାରୋହ ବିଷୟରେ ମମତା ବାନାର୍ଜୀ କହିଛନ୍ତି ଯେ, ଆମେ ଏକ ସରଳ ଶପଥ ଗ୍ରହଣ କାର୍ଯ୍ୟକ୍ରମ କରିବୁ। ସେ କହିଛନ୍ତି ଯେ, ଦେଶ କରୋନା ଯୁଦ୍ଧରେ ଜିତିବା ପର୍ଯ୍ୟନ୍ତ ଆମେ କୌଣସି ପ୍ରକାରର ଶୋଭାଯାତ୍ରା କରିବୁ ନାହିଁ। ମୋଟ ୨୧୧ଟି ଆସନ ଜିତି ପୂର୍ଣ୍ଣ ବହୁମତ ପାଇବା ପରେ ଦିଦି ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାନେଇ ସ୍ପଷ୍ଟ ଅନୁମାନ କରାଯାଉଥିଲା । ଶେଷରେ ସେୟା ହିଁ ହୋଇଛି । ଦଳର ବରିଷ୍ଠ ନେତା ଏବଂ ନବ ନିର୍ବାଚିତ ବିଧାୟକଙ୍କମାନଙ୍କ ସର୍ବସମ୍ମତି କ୍ରମେ ମମତା ବାନାର୍ଜୀଙ୍କୁ ବିଧାୟକ ଦଳ ନେତା ଘୋଷିତ କରାଯାଇଛି ।
ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଦଳର ବିପୁଳ ବିଜୟ ହୋଇଛି । କିନ୍ତୁ ନନ୍ଦୀଗ୍ରାମ ଆସନରୁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ହାରିଯାଇଛନ୍ତି ମମତା ବାନାର୍ଜୀ । ଏହା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ କିପରି ଶପଥ ନେବେ ଦିଦି ? ଭାରତୀୟ ସମ୍ବିଧାନର ଧାରା ୧୬୪ (୪) ଅନୁଯାୟୀ, ‘ବିଧାନସଭାକୁ ନିର୍ବାଚିତ ହୋଇନଥିବା ଜଣେ ସଦସ୍ୟ ୬ ମାସ ପାଇଁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିପାରିବେ । ଏହି ୬ ମାସ ମଧ୍ୟରେ ତାଙ୍କୁ ଉପ ନିର୍ବାଚନରେ ବଜୟୀ ହେବାକୁ ପଡିବ । ଯଦି ସେ ଉପ ନିର୍ବାଚନରେ ମଧ୍ୟ ପରାଜିତ ହୁଅନ୍ତି ତେବେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ବାଧ୍ୟ ହେବେ ।’ ପୂର୍ବରୁ ମଧ୍ୟ ଏପରି ଉଦାହରଣ ରହିଛି । ୨୦୧୧ ମସିହାରେ ଦିଦିଙ୍କ ପାର୍ଟି ପ୍ରଥମେ କ୍ଷମତାକୁ ଆସିଥିଲା । ସେତେବେଳେ ମମତା ବାନାର୍ଜୀ ଲୋକସଭା ସଦସ୍ୟ ଥିଲେ । କିନ୍ତୁ ଭାରତୀୟ ସମ୍ବିଧାନର ଧାରା ୧୬୪ (୪) ଅନୁଯାୟୀ ସେ ମୁଖମନ୍ତ୍ରୀ ଭାବେ ଶପଥ ନେଇଥିଲେ ଏବଂ ପରେ ୬ ମାସ ମଧ୍ୟରେ ଉପ ନିର୍ବାଚନରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୭ ମସିହାରେ ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । କିନ୍ତୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇନଥିଲେ । ଉତ୍ତର ପ୍ରଦେଶରେ ବିଧାନ ପରିଷଦ ଥିବାରୁ ସେହି ବଳରେ ସେ ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ । ସେହିପରି ୨୦୦୯ ମସିହାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ୍ ନିର୍ବାଚନରେ ପ୍ରତିଦ୍ବନ୍ଦିତା ନକରି ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇଥିଲେ । ପରେ ଉପ ନିର୍ବାଚନରେ ମଧ୍ୟ ସେ ପରାଜିତ ହୋଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଝାଡଖଣ୍ଡରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା ।