ମାଲକାନଗିରିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ
ମାଲକାନଗିରି : ମାଲକାନଗିରି ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲା ସଂସ୍କୃତି ଭବନ ପରିସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ଶୁଭାରମ୍ଭ କରିଛନ୍ତି। ସେ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡର ବଣ୍ଟନ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ସଚିବ ଭିକେ ପାଣ୍ଡିଆନ୍ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, କ୍ରୀଡ଼ାମନ୍ତ୍ରୀ ତୁଷାର କାନ୍ତି ବେହେରା, ଜଗନ୍ନାଥ ସାରକା, ପଦ୍ମିନୀ ଦିଆନ ପ୍ରମୁଖ ଯୋଗ ଦେଇଛନ୍ତି। ଏଥିପଇଁ ୩୮୧ଟି ସ୍ୱାସ୍ଥ୍ୟ କାର୍ଡ ବିତରଣ କେନ୍ଦ୍ରର ବ୍ୟବସ୍ଥା ହୋଇଛି । ଏହାପରେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ମନ୍ତ୍ରୀମାନେ ମାଲକାନଗିରିରେ ରହି ସ୍ମାର୍ଟ କାର୍ଡ ବଣ୍ଟନ କରିବେ। ସେହିପରି ସରକାରୀ ଅଧିକାରୀମାନେ ମଧ୍ୟ କିଏ କେଉଁ ଜାଗାରେ ରହିବେ ତାର ତାଲିକା ପ୍ରସ୍ତୁତ କରଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ ଜିଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲା ସାରା ହାଇଆଲର୍ଟ ଜାରି କରାଯାଇଛି । ବିଭିନ୍ନ ସ୍ଥାନରେ ଗାଡ଼ିମୋଟର ଚେକିଂ କରାଯାଉଥିବାବେଳେ ଆନ୍ଧ୍ର ଓ ଛତିଶଗଡ଼ ସୀମାକୁ ସିଲ୍ କରି ଦିଆଯାଇଛି । ମାଓପ୍ରବଣ ଅଞ୍ଚଳରେ ଯବାନମାନେ କମ୍ବିଂ ଓ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ।
ସୂଚନା ଯେ, ସ୍ୱାଧିନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ନେଇ ଘୋଷଣା କରିଥିଲେ । ରାଜ୍ୟ ତଥା ଦେଶରେ ୨୦୦ରୁ ଅଧିକ ଡାକ୍ତରଖାନାରେ ଏହି ସ୍ମାର୍ଟ ହେଲଥ୍ କାର୍ଡ ସୁବିଧା ଲୋକ ପାଇପାରିବେ । ଓଡ଼ିଶାର ୯୬ଲକ୍ଷ ପରିବାର ଓ ସାଢେ ୩କୋଟି ଲୋକ ଏହାଦ୍ୱାରା ଉପକୃତ ହେବେ । ପ୍ରତିବର୍ଷ ମହିଳାଙ୍କ ପାଇଁ ୧୦ଲକ୍ଷ ଓ ପରିବାର ପାଇଁ ୫ଲକ୍ଷ ଟଙ୍କା ଲେଖାଏଁ ବୀମା ସହାୟତା ମିଳିବ ।