ଅଧା ବୁଡିଗଲେ ମା’ ପାଟଣେଶ୍ୱରୀ, ବନ୍ଦ ହେଲା ନୀତିକାନ୍ତି
ବଲାଙ୍ଗିର : ବଲାଙ୍ଗିର ଜିଲା ପଟଣାଗଡ ଇଷ୍ଟଦେବୀ ମା’ ପଟଣେଶ୍ୱରୀ ମନ୍ଦିରରେ ପଶିଲା ପାଣି। ମାଆଙ୍କ ମୂର୍ତ୍ତି ବି ବୁଡିଯାଇଛି । ମନ୍ଦିର ଭିତରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ପମ୍ପ ଯୋଗେ ମନ୍ଦିରରୁ ପାଣି ନିଷ୍କାସନ କରାଯାଉଛି ।
ଗତକାଲି ଠୁ ବଲାଙ୍ଗିର ଜିଲାରେ ଜାରୀ ରହିଛି ଲଗାଣ ବର୍ଷା । ଏହାର ପ୍ରଭାବରେ ତଳି ଅଞ୍ଚଳ ମାନଙ୍କରେ ପାଣି ପଶି ଯାଇଛି । ପାଣିରେ ବୁଡ଼ିଯାଇଛନ୍ତି ଜିଲାର ଇଷ୍ଟଦେବୀ ମା’ ପାଟଣେଶ୍ୱରୀ । ଡ୍ରେନରେ ପାଣି ନିଷ୍କାସନ ହୋଇନପାରି ମନ୍ଦିର ଭିତରକୁ ପଶିଛି, ଯାହା ଫଳରେ ନୀତିକାନ୍ତି ବନ୍ଦ ରହିଛି । ଅପର ପକ୍ଷରେ ରାହୁଳ ନଦୀରେ ଅତ୍ୟଧିକ ପାଣି ଆସିବା ଯୋଗୁଁ ଗୁଡଭେଲା ବ୍ଲକର ଦୁଇଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଜଳବନ୍ଦୀ ହୋଇଛି ସଦାଇପାଲିର ଖାଡ଼ିଆପଡା । ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ୧୦ଟି ଗାଁ ।
ପ୍ରକାଶ ଥାଉକି ପାଣିପାଗ ବିଭାଗ ସୂଚନା ଅନୁସାରେ ବଲାଙ୍ଗିର ଜିଲାରେ ୧୭୩ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।