ରାଜ୍ୟରେ ଲଟେରୀ ମାଧ୍ୟମରେ ମିଳିବ ମଦ ଦୋକାନ ଲାଇସେନ୍ସ
ଭୁବନେଶ୍ୱର : ରାଜ୍ୟରେ ମଦ ଦୋକାନ ପାଇଁ ଲାଇସେନ୍ସ ଲଟେରୀ ମାଧ୍ୟମରେ ମିଳିବ। ଅର୍ଥାତ ପୁରୁଣା ଲାଇସେନ୍ସର ନବୀକରଣ ହେବ ନାହିଁ । ଠିପି ବନ୍ଦ ବିଦେଶୀ ମଦ ଦୋକାନଗୁଡିକ ଏବଂ ସ୍ୱଦେଶୀ ମଦ ଦୋକାନ ଗୁଡିକ ପାଇଁ ଅନୁମତି ଲଟେରୀ ମାଧ୍ୟମରେ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ପ୍ରାୟ ମଦ ଦୋକାନଗୁଡିକ କେବଳ ନବୀକରଣ ମାଧ୍ୟମରେ ହିଁ ୧୫/୨୦ ବର୍ଷ ଧରି ବ୍ୟବସାୟ ଜାରି ରଖିଛନ୍ତି ।
ତେଣୁ ରାଜ୍ୟର ସମସ୍ତ ଜିଲ୍ଲାପାଳ ଏ ନେଇ ସାନି ବିଜ୍ଞପ୍ତି ଜାରି କରିବା ସହିତ ନୂତନ ଭାବେ ଆବେଦନ କରିବାକୁ ନିର୍ଦେଶାବଳୀ ଜାରି କରିଛନ୍ତି । ଆବେଦନ କରିବାର ଶେଷ ତାରିଖ ରହିଛି ଏପ୍ରିଲ ୩ । ରାଜ୍ୟରେ ମୋଟ ୧୧୫୬ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଏବଂ ୨୪୦ କଣ୍ଟ୍ରି ଲିକ୍ୟୋର ମଦ ଦୋକାନ ନିଲାମ ହେବ । ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଥିବା ନୂଆ ନିର୍ଦ୍ଦେଶାନାମା ଅନୁଯାୟୀ, ଲଟେରୀ ମାଧ୍ୟମରେ ଲାଇସେନ୍ସ ପାଇବା ପରେ ଏହାର ବୈଧତା ୫ ବର୍ଷ ରହିବ। ତେବେ ନୂଆ ନିୟମ ଆସିବା ପରେ ପୁରୁଣା ବ୍ୟବସାୟୀଙ୍କ ଲାଇସେନ୍ସ ରଦ୍ଦ ହେବ। ନୂଆ ଲାଇସେନ୍ସ ପାଇବାକୁ ହେଲେ ଲଟେରି ପ୍ରକ୍ରିୟାରେ ସାମିଲ ହେବାକୁ ପଡ଼ିବ। ଲଟେରୀ ମାଧ୍ୟମରେ ଲାଇସେନ୍ସ ପାଇବା ପରେ ଏହାର ବୈଧତା ୫ ବର୍ଷ ରହିବ। ସୂଚନା ଯେ, ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ମୋଟ ୧୯୪୧୬ ଜଣ ଆବେଦନ କରିଛନ୍ତି । ଅର୍ଥାତ ପ୍ରତି ଗୋଟିଏ ଦୋକାନ ପିଛା ପ୍ରାୟ ୧୫ ଜଣ ଲେଖାଏଁ ଆବେଦନ କରିଛନ୍ତି । ସେଥି ମଧ୍ୟରୁ ଠିପି ବନ୍ଦ ବିଦେଶୀ ମଦ ଦୋକାନ ପାଇଁ ୧୮୫୩୦ଟି ଆପ୍ଲିକେସନ୍ ଆସିଥିବା ବେଳେ କଣ୍ଟ୍ରି ଲିକ୍ୟୋର ମଦ ଦୋକାନ ପାଇଁ ଆବେଦନ କରିଛନ୍ତି ୮୮୬ ଜଣ । ଏପ୍ରିଲ ୩ ତାରିଖ ସୁଦ୍ଧା ଆବେଦନ ପ୍ରକ୍ରିୟା ଏବଂ ଏପ୍ରିଲ ୯ ତାରିଖ ସୁଦ୍ଧା ଲାଇସେନ୍ସ ପ୍ରଦାନ କରାଯିବା ନଇେ ବିଜ୍ଞପ୍ତି ଜାରି କରାଯାଇଛି ।