ୟୁଜର୍ସ ଫି ତୁରନ୍ତ ପ୍ରତ୍ୟାହାର କରୁ ବିଏମସି : କଂଗ୍ରେସ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ଏବେ ନିଗମ ଅଂଚଳରେ ଥିବା ଅଧିବାସୀମାନଙ୍କ ପାଖରୁ ୟୁଜର୍ସ ଫି ଜୋରଜବରଦସ୍ତି ଆଦାୟ କରୁଛନ୍ତି । ୨୦୧୫ ମସିହାରେ ପ୍ରଥମତଃ ଭୁବନେଶ୍ୱର ମହାନଗର ନିଗମ ୟୁଜର୍ସ ଫି ଆଦାୟ କରିବା ପାଇଁ ଏକ ନିଷ୍ପତି ନେଇଥିଲା । ସେହି ସମୟରେ ଏହି ଫି ବିରୁଦ୍ଧରେ ଭୁବନେଶ୍ୱର ମହାନଗର ଅଂଚଳର କିଛି ନାଗରିକ ସଂଗଠନ ଓଡିଶା ଉଚ୍ଚ ନ୍ୟାୟାଳୟରେ ଏକ କେଶ୍ ଦାୟର କଲେ ଏବଂ ଓଡିଶା ଉଚ୍ଚ ନ୍ୟାୟାଳୟ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେଶନର ୟୁଜର୍ସ ଚାର୍ଜେସ୍ ରେଗୁଲେସନ, ୨୦୧୫ କୁ ତତ୍କ୍ଷଣାତ୍ ବନ୍ଦ କରିବା ପାଇଁ ଏକ ନିଷିଦ୍ଧାଦେଶ ଜାରି କରିଥିଲେ ।କିନ୍ତୁ କିଛି କୁଚକ୍ରୀ ଅଣଓଡିଆ ଅମଲାତନ୍ତ୍ରୀ ତୃତୀୟ ମହଲାର ନିର୍ଦ୍ଦେଶରେ ବାରମ୍ବାର କେତେବେଳେ ହୋଲ୍ଡିଂ ଟ୍ୟାକ୍ସ / ପ୍ରପର୍ଟି ଟ୍ୟାକ୍ସ ତ କେତେବେଳେ ୟୁଜର୍ସ ଚାର୍ଜେସ୍ ଆଦାୟ କରିବାରେ ଲାଗିଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ପଂଚାନନ କାନୁନ୍ଗୋ କହିଲେ ଯେ ଏହି ୟୁଜର୍ସ ଚାର୍ଜେସ୍ ଆଦାୟ ସଂପୂର୍ଣ୍ଣ ଆଇନ୍ର ବିରୁଦ୍ଧାଚରଣ କରୁଛି ଏବଂ ଓଡିଶା ମ୍ୟୁନିସିପାଲ ଆକ୍ଟର ୨୦୦୩ ର ବିରୁଦ୍ଧାଚରଣ କରୁଛି । ସାଧାରଣତଃ ୟୁଜର୍ସ ଚାର୍ଜେସ୍ ଯଦି କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ଭୁବନେଶ୍ୱର ମ୍ୟୁନିସିପାଲ ଅଧିନରେ ଥିବା କୌଣସି ଜାଗାକୁ ନିଜସ୍ୱ ଉଦ୍ଦେଶ୍ୟରେ ବ୍ୟବହାର କରେ ତେବେ ତା ପାଖରୁ ୟୁଜର୍ସ ଫି ଆଦାୟ କରାଯିବା ଉଚିତ୍ । ଏହାର ଅର୍ଥ ନୁହେଁ ସବୁ ଲୋକଙ୍କ ପାଖରୁ ୟୁଜର୍ସ ଫି ଆଦାୟ କରାଯିବ । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ୍ ଦାସ କହିଲେ ଯେ ଯଦି ଭୁବନେଶ୍ୱର ମହାନଗର ନିଗମ ଅଧିକାରୀ ଏବଂ ସହରାଚଂଳ ବିକାଶ ମନ୍ତ୍ରୀ ଏହି ୟୁଜର୍ସ ଫି ଆଦାୟକୁ ତୁରନ୍ତ ବନ୍ଦ ନକରନ୍ତି ତେବେ ଏହି ଆନ୍ଦୋଳନ ବହୁ ତିବ୍ରତର ହେବ ।ବରିଷ୍ଠ କଂଗ୍ରେସ ନେତା ତଥା ଆଇନ୍ଜୀବୀ ଶ୍ରୀ ଶିବାନନ୍ଦ ରାୟ କହିଲେ ଯେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଷ୍ଟ୍ରିଟ୍ ଲାଇଟ୍ ଜଳୁନାହିଁ, ଡ୍ରେନେଜ୍ ବ୍ୟବସ୍ଥା ଠିକ୍ ହୋଇନାହିଁ, ସମସ୍ତ ରାସ୍ତା ଅତି ଖରାପ ଅବସ୍ଥାରେ ଅଛି, କିନ୍ତୁ ଫି କାହା ପାଇଁ ଆଦାୟ କରାଯାଉଛି । ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ବ୍ଲକ କଂଗ୍ରେସ ସଭାପତି ଅଶୋକ ଦାସ ଭୁବନେଶ୍ୱରବାସୀଙ୍କ ଉଦ୍ଦେଶ୍ୟରେ ହୋଲ୍ଡିଂ ଟ୍ୟାକସ୍ ଲଢ଼େଇରେ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ୟୁଜର୍ସର୍ ଫି ଲଢ଼େଇରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ।