ଲଟେରି ଜରିଆରେ ମଦ ଦୋକାନ ଲାଇସେନ୍ସ ବଣ୍ଟନ : ଆବେଦନ ଖାରଜ କଲେ ହାଇକୋର୍ଟ
କଟକ : ହାଇକୋର୍ଟରେ ଲଟେରି ମାଧ୍ୟମରେ ମଦ କାଉଣ୍ଟର ବଣ୍ଟନ ମାମଲାର ଶୁଣାଣି ହୋଇଛି । ମଦ ବ୍ୟବସାୟୀଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । ଲଟେରି ମାଧ୍ୟମରେ ରାଜ୍ୟ ସରକାର ମଦ କାଉଣ୍ଟର ବଣ୍ଟନର ବ୍ୟବସ୍ଥା କରିଛନ୍ତି । ସରକାର ରାଜ୍ୟରେ ଅବକାରୀ ନୀତିରେ ସଂଶୋଧନ ଆଣିଛନ୍ତି । ଦୋକାନ ପାଇଁ ଲଟେରି ବ୍ୟବସ୍ଥା କରିଛନ୍ତି । କେତେକ ପୁରୁଣା ମଦ ବ୍ୟବସାୟୀ ଏହାକୁ ଚାଲେଞ୍ଜ କରିଥିଲେ । ମଦ କାଉଣ୍ଟର ଲଟେରିରେ ଭାଗ ନେବାକୁ ୧ ଲକ୍ଷ ଟଙ୍କା ଜମା ଦେବାକୁ ପଡୁଛି। ଲଟେରି ନ ମିଳିଲେ ଟଙ୍କା ଫେରସ୍ତର ବ୍ୟବସ୍ଥା ନାହିଁ । ଏହାକୁ ହାଇକୋର୍ଟରେ ଚାଲେଞ୍ଜ ହୋଇଥିଲା । ସରକାରଙ୍କ ନିୟମରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି । ହାଇକୋର୍ଟରେ ଏ ନେଇ ୨୦ଟି ମାମଲା ରୁଜୁ ହୋଇଥିଲା । ସମସ୍ତ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି ।
ମାମଲାର ବିବରଣୀରୁ ପ୍ରକାଶ ଯେ ମଦ ଦୋକାନ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟାରେ ସ୍ବଚ୍ଛତା ଓ ଅଧିକ ରାଜସ୍ବ ଆଦାୟ ପାଇଁ ଲଟେରି ବ୍ୟବସ୍ଥା ସପକ୍ଷରେ ସରକାର ନିଷ୍ପତ୍ତି ନେଇଥିଲେ ବୋଲି କୁହାଯାଇଥିଲା। ଧାର୍ଯ୍ୟ ଲାଇସେନ୍ସ ଫି’ର ୨୦ ପ୍ରତିଶତ ବଢ଼ାଇ ଏହି ଲଟେରି କରାଯିବ। ୧୫ବର୍ଷରୁ ଊର୍ଦ୍ଧ୍ବ କାଳ ଧରି ମଦ ଦୋକାନଗୁଡ଼ିକର ଲାଇସେନ୍ସକୁ ୧୦ ପ୍ରତିଶତ ବର୍ଦ୍ଧିତ ଦରରେ ନବୀକରଣ କରାଯାଉଥିବା ବେଳେ ସରକାର ଚଳିତ ବର୍ଷ ନୂଆ ବ୍ୟବସାୟୀଙ୍କୁ ସୁଯୋଗ ଦେବାକୁ ଏପରି ନିଷ୍ପତ୍ତି ନେଇଥିବା କୁହାଯାଇଥିଲା। ରାଜ୍ୟରେ ଥିବା ସମସ୍ତ ବିଦେଶୀ ଠିପି ବନ୍ଦ ଓ ଦେଶୀ ମଦ ଦୋକାନଗୁଡ଼ିକର ଲାଇସେନ୍ସକୁ ଲଟେରି ଜରିଆରେ ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ହେବାକୁ ଥିବା ଏହି ଲଟେରି ବ୍ୟବସ୍ଥାରେ ପୁରୁଣା ବ୍ୟବସାୟୀଙ୍କ ସମେତ ନୂଆ ବେପାରୀଙ୍କୁ ମଧ୍ୟ ସୁଯୋଗ ମିଳିବ। ଏଥିପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିପାରିବେ। ଲଟେରିରେ ନାମ ଆସିଲେ ମଦ ଦୋକାନ ଲାଇସେନ୍ସ ମିଳିବ। ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। ଜିଲ୍ଲାପାଳମାନେ ଲଟେରି କରି ନୂଆ ବ୍ୟବସାୟୀ ଚିହ୍ନଟ କରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଏଥି ପାଇଁ ସରକାର ପୁରୁଣା ଅବକାରୀ ନୟମାବଳୀରେ ସଂଶୋଧନ କରିଥିଲେ। ଏ ନେଇ ୨୦୨୧, ଜାନୁଆରି ୭ରେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଲଟେରି ବ୍ୟବସ୍ଥା ସଂକ୍ରାନ୍ତରେ ଫେବ୍ରୁଆରି ୨୬ରେ ଅବକାରୀ ବିଭାଗ ନିର୍ଦ୍ଦେଶନାମା ଜାରି କରିଥିଲା। କିନ୍ତୁ ଏପରି ଲଟେରି ବ୍ୟବସ୍ଥାକୁ କେତେକ ପୁରୁଣା ବ୍ୟବସାୟୀ ବିରୋଧ କରିଥିଲେ। ନିଲାମ ନ କରି ଲଟେରି ବ୍ୟବସ୍ଥା ଦ୍ବାରା ବ୍ୟାପକ ସମସ୍ୟା ସୃଷ୍ଟି ହେବ ବୋଲି କେତେକ ଅଭିଯୋଗ କରିଥିଲେ। ଲଟେରି ବ୍ୟବସ୍ଥା ପାଇଁ ନୟମାବଳୀରେ କରାଯାଇଥିବା ସଂଶୋଧନ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଲଟେରି ବ୍ୟବସ୍ଥା ନିୟମ ଅସାମ୍ବିଧାନିକ ବୋଲି ଆବେଦନରେ ଦର୍ଶାଯାଇଥିଲା। ଏପରି ନିଷ୍ପତ୍ତିକୁ ରଦ୍ଦ କରାଯାଉ ବୋଲି ଦର୍ଶାଇ ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଥିଲା। ମାର୍ଚ୍ଚ ୧୯ରେ ହାଇକୋର୍ଟ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାମଲାରେ ସରକାରଙ୍କ ପକ୍ଷରୁ ଦାଖଲ ଜବାବରେ ଦର୍ଶାଯାଇଥିଲା ଯେ ୨୦୧୬ରେ ଭାରତର ସିଏଜିଙ୍କ ରିପୋର୍ଟରେ ମଦ ଦୋକାନ ଲାଇସେନ୍ସ ଲଟେରି ବ୍ୟବସ୍ଥାରେ ପ୍ରଦାନ ପାଇଁ ପରାମର୍ଶ ଦିଆଯାଇଥିଲା। ଲାଇସେନ୍ସ ପ୍ରଦାନ ପ୍ରକ୍ରିୟାରେ ସ୍ବଚ୍ଛତା ପାଇଁ ଲଟେରି ବ୍ୟବସ୍ଥା ସପକ୍ଷରେ ସିଏଜି କହିଥିଲେ। ଅନ୍ୟ ରାଜ୍ୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଓ ତେଲେଙ୍ଗାନାରେ ଲଟେରି ବ୍ୟବସ୍ଥା ସଫଳତାର ସହିତ ଲାଗୁ କରାଯାଇଥିବା ବେଳେ ଅବକାରୀ ଆଇନ ଓ ନିୟମାବଳୀରେ ଆବଶ୍ୟକ ସଂଶୋଧନ କରି ରାଜ୍ୟ ସରକାର ଏହି ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଲଟେରି ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଆଇନ ସମ୍ମତ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା। ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ମାମଲା ପରିଚାଳନା କରୁଥିଲେ।