ସୋମବାର ପର୍ଯ୍ୟନ୍ତ ଲୋକସଭା ସ୍ଥଗିତ
- ଗୃହରେ ଦୁଇ ବିଧେୟକ ଆଗତ
ନୂଆଦିଲ୍ଲୀ : ପେଗାସସ୍ ଗୁଇନ୍ଦାଗିରି ଓ କୃଷି ଆଇନକୁ ନେଇ ଶୁକ୍ରବାର ଗୃହରେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଲୋକସଭାର କାର୍ଯ୍ୟବାହି ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରହିଛି । ଆଜି ଗୃହରେ ଦୁଇଟି ବିଧେୟକ ଆଗତ ହୋଇଛି । ଏଥିରେ ସାମାନ୍ୟ ବୀମା ବ୍ୟବସାୟ (ରାଷ୍ଟ୍ରୀୟକରଣ) ସଂଶୋଧନ ବିଧେୟକ, ୨୦୨୧ ସାମିଲ୍ ରହିଛି । ଆଜି ଦିନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ପେଗାସସ୍ ଗୁଇନ୍ଦାଗିରି ମାମଲା ଉପରେ ଆଲୋଚନା ପାଇଁ ଦାବି ଉପସ୍ଥାପନ କରିଥିଲେ । ସେ କହିଥିଲେ ଯେ, ଆମେ ଲଗାତର ଭାବେ ଏ ସମ୍ବନ୍ଧରେ ଆଲୋଚନା ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରୁଛୁ, କିନ୍ତୁ ଆମର କଥା ଶୁଣାଯାଉନାହିଁ । ଏହାପରେ ହଟ୍ଟଗୋଳ ମଧ୍ୟରେ ପ୍ରାୟ ଅଧ ଘଂଟା ଧରି ପ୍ରଶ୍ନକାଳ ଚାଲିଥିଲା ଏବଂ ଗୃହର କାର୍ଯ୍ୟବାହି ଦିନ ୧୨ ଟା ପର୍ଯ୍ୟନ୍ତ ସ୍ଥଗିତ ରହିଥିଲା ।
ଏହାପରେ ୧୨ଟାରେ ଗୃହର କାର୍ଯ୍ୟବାହି ପୁଣିଥରେ ଆରମ୍ଭ ହୋଇଥିଲା । ଏହି ସମୟରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଓ ଏହାର ଆଖପାଖ ଅଂଚଳରେ ବାୟୁ ଗୁଣବତା ପ୍ରବନ୍ଧନ ଆୟୋଗ ବିଧେୟକ, ୨୦୨୧ ଆଗତ କରିଥିଲେ । ଏହାପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମାନ୍ୟ ବୀମା ବ୍ୟବସାୟ (ରାଷ୍ଟ୍ରୀୟକରଣ) ସଂଶୋଧନ ବିଧେୟକ, ୨୦୨୧ କୁ ଗୃହରେ ଆଗତ କରିଥିଲେ । ବୀମା ସହିତ ଜଡ଼ିତ ବିଧେୟକ ଗୃହରେ ଆଗତ ସମୟରେ ବିରୋଧୀ ଏନେଇ ଆପତି କରିଥିଲେ । କେରଳର ସାଂସଦ ଏମ.କେ. ପ୍ରେମଚନ୍ଦ୍ରନ କହିଥିଲେ ଯେ, ବର୍ତମାନ ଲୋକସଭାରେ ହଙ୍ଗାମା ଚାଲିଥିବାରୁ ଏମିତି ଏକ ସମୟରେ ଏ ପ୍ରକାର ଗୁରୁତ୍ୱପୂର୍ଣ୍ଣ ବିଧେୟକ ଆଗତ କରାଯିବା ଅନୁଚିତ୍ । ଆହୁରି ମଧ୍ୟ ସେ କହିଥିଲେ ଯେ, ସରକାର ବିଧେୟକ ମାଧ୍ୟମରେ ନେଶନାଲ ଜେନେରାଲ ଇନସୁରାନ୍ସର ଘରୋଇକରଣ କରୁଛନ୍ତି । ଏହା ବ୍ୟତୀତ ଅନ୍ୟ କେତେକ ସଦସ୍ୟ ମଧ୍ୟ ଗୃହରେ ଏହି ଦୁଇଟି ପ୍ରସଙ୍ଗ ଉଠାଇଥିଲେ ।