ଖୋର୍ଦ୍ଧା ଓ କଟକରେ ଅନ୍ଲକ୍ ସମ୍ଭାବନା କମ୍ : ଡିଏମ୍ଟି
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଛି । କିନ୍ତୁ ଯେତେ ପରିମାଣର ଆଶା କରାଯାଉଥିଲା, ସେତେ ପରିମାଣରେ ସଂକ୍ରମଣ କମି ନାହିଁ । ରାଜ୍ୟରେ ଏବେ ୧୬ଶହରୁ ୨ହଜାର ମଧ୍ୟରେ ଦୈନିକ ସଂକ୍ରମଣ ସ୍ଥିର ରହିଛି । ଖାସ୍ କରି କଟକ ଓ ଖୋର୍ଦ୍ଧା ଜିଲାରେ ସଂକ୍ରମଣ ୩ ଅଙ୍କ ତଳକୁ ଆସୁନି । ଏହାରି ମଧ୍ୟରେ ଆସନ୍ତାକାଲି ଆଂଶିକ ଲକଡାଉନ ସରିବାକୁ ଯାଉଛି । ଫଳରେ ଶନିବାର ହିଁ ଅଗଷ୍ଟ ମାସ ପାଇଁ ଆସିବ ଗାଇଡଲାଇନ୍। ତେବେ ଅଗଷ୍ଟ ୧ରୁ ରାଜ୍ୟରେ ଅନଲକ୍ ଫର୍ମୁଲା କ’ଣ ହେବ ତାକୁ ନେଇ ବିଚାର ବିମର୍ଶ ଆରମ୍ଭ ହୋଇଛି । ରାଜ୍ୟର ଅଧିକାଂଶ ଜିଲାରେ କରୋନା ସଂକ୍ରମଣ କମିଥିଲେ ହେଁ ଖୋର୍ଦ୍ଧା, କଟକ, ପୁରୀ ଜିଲାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ତେଣୁ ଅଗଷ୍ଟ ମାସର ଗାଇଡାଲାଇନରେ କେଉଁ ଫର୍ମୁଲା ଅଣାଯିବ ତା ଉପରେ ବିଚାରବିମର୍ଶ ଆରମ୍ଭ କରିଛି ସ୍ୱାସ୍ଥ୍ୟ ବିଭାଗ। ସ୍ଥିତି, ସମୟ, ସଂକ୍ରମଣର ପରିସ୍ଥିତିକୁ ଅନୁଧ୍ୟାନ କରି ଅନଲକ୍ ନିଷ୍ପତ୍ତି ନିଆଯିବା ବୋଲି ଡିଏମ୍ଟି ସିବିକେ ମହାନ୍ତି କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ସରକାର ଯେଉଁ ୫ଟି ରାଜ୍ୟରେ ସଂକ୍ରମଣ ରହୁଛି । ସେଥିରେ ଆମେ ଥିଲେ ବି ଆମ ରାଜ୍ୟରୁ ହାରାହାରି ୧୮ ଶହ ଦୈନିକ ସଂକ୍ରମଣ ରହୁଛି । ଜାତୀୟ ହାରରେ ଆମ ସଂଖ୍ୟା ନଗଣ୍ୟ, ୧୦ ପ୍ରତିଶତ ବି ନୁହେଁ । ରାଜ୍ୟ ସରକାରଙ୍କ ଦ୍ୱାର ଗଠିତ ହୋଇଥିବା ବିଶେଷଜ୍ଞ ଟିମ୍ ଯାହା କହିବ, ତାହା ନିଷ୍ପତ୍ତି ନିଆଯିବ । ସବୁ ନିଷ୍ପତ୍ତି ସ୍ଥାୟୀ ନୁହେଁ, ଆବଶ୍ୟକ ଦେଖି ଉଚିତ୍ ପଦକ୍ଷେପ ନିଆଯିବ । ସେହିପରି ଭୀମ୍ସାରକୁ ଇକ୍ମୋ ମେସିନ୍ ନମିଳିବା ପ୍ରସଙ୍ଗରେ ଡିଏମ୍ଟି କହିଛନ୍ତି ଯେ, ସେଠାରେ କାର୍ଡିଓଥୋରାସିସର ଭିତ୍ତିଭୂମି ନିର୍ମାଣଧୀନ ଅଛି । ସଂପୂର୍ଣ୍ଣ ହେଲେ, ସେବା ଆରମ୍ଭ କରାଯିବ । ରାଉରକେଲାରେ କିଛି ଦିନ ମଧ୍ୟରେ ଆରମ୍ଭ ହେବାର ରହିଛି । ଯେତେ ଶୀଘ୍ର ମାନବ ସମ୍ବଳ ଓ ଭିତ୍ତିଭୂମି ନିର୍ମାଣ ହେବ ସେତେ ଶୀଘ୍ର ଚିକିତ୍ସା ମିଳିବ । ସେହିପରି ଡେଙ୍ଗୁ ପ୍ରତିବର୍ଷ ଜୁଲାଇରୁ ଅକ୍ଟୋବର ମଧ୍ୟରେ ହୁଏ । ରାଜ୍ୟର ସମସ୍ତ ଡାକ୍ତରଖାନାରେ ଡେଙ୍ଗୁ ଚିକିତ୍ସା ପାଇଁ ତାଲିମ ପ୍ରାପ୍ତ । କେବଳ ଜନସଚେତନତା ଦରକାର ।