ବିଜେଡିର ବଡ଼ ଆକ୍ସନ! ଦଳରୁ ବହିଷ୍କୃତ ହେଲେ ଖଣ୍ଡପଡ଼ା ଓ ରେମୁଣା ବିଧାୟକ
ଭୁବନେଶ୍ୱର : ବିଜେଡିର ବଡ଼ ଆକ୍ସନ । ଦଳରୁ ବିଦା ହେଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଏଥିସହିତ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ମଧ୍ୟ ଦଳରୁ ବିଦା କରାଯାଇଛି। ଏନେଇ ନିଜେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବିଜେଡି ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ମଧ୍ୟ ଜାରି କରାଯାଇଛି।
ସୂଚନା ଯେ, ଗତ କିଛି ଦିନ ହେବ ବିଜେଡି ଓ ସୌମ୍ୟରଞ୍ଜନଙ୍କ ଭିତରେ ବଢ଼ିଥିଲା ଦୂରତା । ସୌମ୍ୟ ବାବୁ ନିଜ ଖବରକାଗଜରେ ସମ୍ପାଦକୀୟ ଲେଖି ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଆସୁଥିଲେ। ଏହା ପରେ ବିଜେଡିର ଅନେକ ତୁଙ୍ଗ ନେତା ଗଣମାଧ୍ୟମକୁ ଆସି ସୌମ୍ୟ ନିଜ ଆଲେଖ୍ୟ ମାଧ୍ୟମରେ ପାର୍ଟି ଓ ସରକାରଙ୍କୁ ସମାଲୋଚନା ବନ୍ଦ କରିବା ପାଇଁ ଆହ୍ବାନ ଦେଇଥିଲେ। ନହେଲେ ପାର୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି ଉଠିଥିଲା । ସୌମ୍ୟବାବୁ ପାର୍ଟି ଓ ସରକାରକୁ ବ୍ଲାକମେଲ୍ କରୁଛନ୍ତି ବୋଲି ବିଜେଡିର ବିଧାୟକ, ମନ୍ତ୍ରୀମାନେ ଅଭିଯୋଗ ଆଣିଥିଲେ। ଏହାପରେ ତାଙ୍କୁ ବିଜେଡି ଉପସଭାପତି ପଦରୁ ବିଦା କରିଥିଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ଓ ସୌମ୍ୟଙ୍କ ମଧ୍ୟରେ ବିବାଦ ହେବା ଦିନଠାରୁ ବିଜେଡି ନେତା ଇସ୍ତଫା ଦାବି କରି ଆସୁଥିଲେ । ବିଜେଡିରେ ରହି ଦଳ ବିରୋଧରେ କହିବା ତାଙ୍କ ପାଇଁ ମହଙ୍ଗା ହୋଇଛି ।