ଦେଶର ୪୮ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଏନ୍. ଭି. ରମଣା
ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ୪୮ ତମ ପ୍ରଧାନ ବିଚାରପତି ଭାବେ ଶନିବାର ଶପଥ ନେଲେ ଜଷ୍ଟିସ୍ ଏନ୍ ଭି ରମଣା । ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶପଥପାଠ କରାଇଛନ୍ତି । ସେ ଆଜିଠାରୁ ୨୦୨୨ ଅଗଷ୍ଟ ୨୬ ତାରିଖ ପର୍ଯ୍ୟନ୍ତ ଭାରତର ପ୍ରଧାନବିଚାରପତି ଦାୟିତ୍ୱରେ ରହିବେ ବୋଲି ଜଣାପଡିଛି। ସୂଚନା ଯେ, ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏସ ଏ ବୋବଡେ ଶୁକ୍ରବାର ଅବସର ଗ୍ରହଣ କରିବା ପରେ ଆଜି ପ୍ରଧାନ ବିଚାରପତି ଭାବେ ନବନିଯୁକ୍ତ ହୋଇଥିବା ଜଷ୍ଟିସ ଏନ ଭି ରମଣା ଶପଥ ଗ୍ରହଣ କରିଛନ୍ତି ।
ଜଷ୍ଟିସ୍ ଏନ ଭି ରମଣା ୧୯୫୭ ମସିହା ଅଗଷ୍ଟ ୨୭ ତାରିଖରେ ଆନ୍ଧ୍ରପଦେଶର ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଛାତ୍ର ଜୀବନରେ ଶିଳ୍ପ ଓ କୃଷିପ୍ରତି ଆଗ୍ରହ ପ୍ରକାଶ କରୁଥିବା ବେଳେ ଶିକ୍ଷାପରେ ସେ ଜଣେ ସାମ୍ବାଦିକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ଏକ ତେଲୁଗୁ ଖବର କାଗଜରେ ସାମ୍ବାଦିକତା କରୁଥିଲେ । ଏହାପରେ ସେ ଓକିଲାତି ପଢି ପ୍ରଥମେ ୧୯୮୩ ମସିହା ଏପ୍ରିଲ ୧୦ ତାରିଖରେ ଆନ୍ଧ୍ର ହାଇକୋର୍ଟରେ ପ୍ରାକ୍ଟିସ୍ ଆରମ୍ଭ କରିଥିଲେ । ଏହାପରେ ସେ ୨୦୦୦ ମସିହା ଜୁନ ୨୭ ତାରିଖରେ ଆନ୍ଧ୍ର ହାଇକୋର୍ଟରେ ସ୍ଥାୟୀ ଜଜ୍ ଭାବେ ନିଯୁକ୍ତ ହୋଇଥିଲେ । ଏହାପରେ ଦିଲ୍ଲୀ ହାଇକୋର୍ଟ ଓ ୨୦୧୪ ମସିହା ଫେବୃଆରୀ ୧୭ ତାରିଖରେ ସୁପ୍ରିମକୋର୍ଟର ଜଜ୍ ଭାବେ ନିଯୁକ୍ତ ହୋଇଥିଲେ ।