କୋଭିଡ୍ ହସ୍ପିଟାଲ ଓ ଅକ୍ସିଜେନ୍ ପ୍ଲାଂଟ ପ୍ରତିଷ୍ଠା ପାଇଁ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଜୁଏଲ ଓରାମଙ୍କ ଚିଠି
ଭୁବନେଶ୍ୱର : କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଙ୍କୁ ଚିଠି ଲେଖିଛନ୍ତି ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ଚିଠିରେ ସାଂସଦ ଶ୍ରୀ ଓରାମ୍ ସୁନ୍ଦରଗଡାରେ ଥିବା ଏନଟିପିସି ମେଡିକାଲ କଲେଜ ଓ ହସ୍ପିଟାଲରେ ୧୦୦ ଶଯ୍ୟା ଆଇସିୟୁ ବ୍ୟବସ୍ଥା ସହ କୋଭିଡ୍ ହସ୍ପିଟାଲ ଓ ପିଏମ କେୟାର ଫଣ୍ଡରୁ ମେଡିକାଲ ଅକ୍ସିଜେନ୍ ପ୍ଲାଂଟ ପ୍ରତିଷ୍ଠା କରିବାକୁ ଦାବି ଜଣାଇଛନ୍ତି ।
ଏହାସହ ରାଉରକେଲାରେ ଥିବା ଆଇଜିଏଚ୍ ସୁପରସ୍ପେଶାଲିଟି ହସ୍ପିଟାଲରେ ୨୦୦ଆଇସିୟୁ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲର ବ୍ୟବସ୍ଥା କରିବାକୁ ଚିଠିରେ ଅନୁରୋଧ କରିଛନ୍ତି ଶ୍ରୀ ଓରାମ । ଡିଆରଡିଓ ବିଭିନ୍ନ ସ୍ଥାନରେ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରୁଛି ଏବଂ କିଛି ସ୍ଥାନରେ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ଯାଉଛି । ଏପରିକି ଆଗାମୀ ୩ ମାସ ମଧ୍ୟରେ ଡିଆରଡିଓ ୫୦୦ଟି ସ୍ଥାନରେ ମେଡିକାଲ ଅକ୍ସିଜେନ୍ ପ୍ଲାଂଟ ପ୍ରତିଷ୍ଠା କରିବ । ତେଣୁ ତାଙ୍କ ଲୋକସଭା କ୍ଷେତ୍ର ସୁନ୍ଦରଗଡାରେ ମଧ୍ୟ କୋଭିଡ୍ ହସ୍ପିଟାଲ ଓ ମେଡିକାଲ ଅକ୍ସିଜେନ୍ ପ୍ଲାଂଟ ପ୍ରତିଷ୍ଠା କରିବାକୁ ଶ୍ରୀ ଓରାମ୍ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ।