ବାଲେଶ୍ୱର : ବିପଦ ସଙ୍କେତ ଉପରେ ଜଳକା
ବାଲେଶ୍ୱର : ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି । ଫଳରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ତେବେ ବାଲେଶ୍ୱର ଜିଲାର ବୁଢ଼ାବଳଙ୍ଗ ଓ ଜଳକା ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ଏହି ପରିପ୍ରେକ୍ଷୀରେ ବସ୍ତା ବ୍ଲକ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।
ବସ୍ତା ବ୍ଲକର ମଥାନୀଠାରେ ଜଳକା ନଦୀର ବିପଦ ସଙ୍କେତ ୫.୫ ମିଟର ରହିଛି । ମାତ୍ର ସକାଳ ୬ଟା ମଧ୍ୟରେ ୫.୬ ମିଟର ଜଳ ପ୍ରବାହିତ ହେଉଛି । ଫଳରେ ବସ୍ତା ବ୍ଲକର ମଥାନି ବାହାର୍ଦା, ଦୁଧହାଂସା, ସଦାନନ୍ଦପୁର, ବରୁଣଗଡିଆ, ଚକୁରାଇ ସମେତ ସଦର ବ୍ଲକର ୨ଟି ପଞ୍ଚାୟତରେ ବନ୍ୟା ହେବାର ଆଶଙ୍କା କରାଯାଉଛି । ସୂଚନା ଯେ, ଲୋ ପ୍ରେସରର ପ୍ରଭାବରେ ଗତ କିଛି ଦିନ ହେବ ବର୍ଷା ଲାଗି ରହିଛି । ସେହିପରି ଆଗାମୀ ୨ରୁ ୩ ଦିନ ଯାଏଁ ଆହୁରୀ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ୧୧ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା କରାଯାଉଛି ।