ବାଲେଶ୍ବର : ଜଉକଣ୍ଢେଇ ‘ସମଲେଇ ଓ ଶମ୍ଭୁନାଥ’ ଲଗ୍ନଧରା ସମ୍ପନ୍ନ
- ଜୁନ ୬ରେ ସାଂକେତିକ ବିବାହ କାର୍ଯ୍ୟ
ବାଲେଶ୍ବର : ପ୍ରତିବର୍ଷ ପବିତ୍ର ଚନ୍ଦନ ପୂର୍ଣ୍ଣିମାରେ ଜଉକଣ୍ଢେଇ ବାହାଘର ଉତ୍ସବ କମିଟି ଦ୍ବାରା ଜଉକଣ୍ଢେଇ ବାହାଘରର ଲଗ୍ନଧରା କାର୍ଯ୍ୟ ସମ୍ପନ୍ନ କରାଯାଏ । ଚଳିତ ବର୍ଷ ଆଜି ଚନ୍ଦନ ପୂର୍ଣ୍ଣିମା ଅବସରରେ ସନ୍ଧ୍ୟା ୭ ଟାରେ ରେମୁଣା ଗୋଲେଇ ନିକଟସ୍ଥ କୋଶମ୍ବ ନଗରର ଦୁବଲାଗଡ଼ରେ ପ୍ରତିକୂଳ ପରିସ୍ଥିତିରେ ପ୍ରତୀକାତ୍ମକ ଭାବରେ ସମଲେଇ ଓ ଶମ୍ଭୁନାଥ ଜଉକଣ୍ଢେଇ ଲଗ୍ନଧରା କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି । ଏହି ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଦୁଇ ଜଉକଣ୍ଢେଇ ଶିଳ୍ପୀ ପରିବାର ଆଗେଇ ଆସିଥିଲେ । ବର କର୍ତ୍ତାକର୍ତ୍ତୀ ଭାବରେ ମଦନ ମୋହନ ସାହୁ ଓ ସୁକାନ୍ତି ସାହୁ ଓ କନିଆ କର୍ତ୍ତାକର୍ତ୍ତୀ ଭାବରେ ଭବେନ୍ଦ୍ରନାଥ ଦେ ଓ କବିତା ଦେ ଲଗ୍ନଧରା କାର୍ଯ୍ୟକୁ ସଂପାଦନ କରିଛନ୍ତି ।
ଚଳିତ ବର୍ଷ କୋଭିଡ ୧୯ ଓ ୟଶ୍ ବାତ୍ୟାକୁ ଧ୍ୟାନ ରଖି ଏହି ଲଗ୍ନଧରା ଉତ୍ସବ ସଂକ୍ଷିପ୍ତ ଓ ସାଂକେତିକ ଭାବରେ ସମ୍ପନ୍ନ କରାଯାଇଛି । କମିଟିର ପ୍ରଥାନୁଯାୟୀ ବରକନ୍ୟା ଉଭୟ ପକ୍ଷ ଉଭୟକୁ ଯୌତୁକ ଦାବୀ ପ୍ରକ୍ରିୟାରେ କନିଆକର୍ତ୍ତା ପକ୍ଷରୁ ୟଶ୍ ବାତ୍ୟା ଜନିତ ସବୁଜିମାର କ୍ଷୟକ୍ଷତିର ଭରଣା ପାଇଁ ବୃକ୍ଷରୋପଣ ପାଇଁ ଦାବୀ କରିଥିବା ବେଳେ ବର ପକ୍ଷରୁ କୋଭିଡ ୧୯ ପାଇଁ ମାସ୍କ ଓ ସେନିଟାଇଜର ବଣ୍ଟନ କରିବା ପାଇଁ ଦାବୀ କରିଥିଲେ । ଆସନ୍ତା ଜୁନ ୬ ତାରିଖରେ କୋଭିଡ ନିୟମ ପାଳନ କରାଯାଇ ପ୍ରତୀକାତ୍ମକ ଭାବରେ ବିବାହ କାର୍ଯ୍ୟ ସଂପାଦନ କରାଯିବ ବୋଲି କମିଟି ତରଫରୁ ପ୍ରକାଶ କରାଯାଇଛି । ଏଥିରେ ଘଟକ ଭାବରେ ପ୍ରୀତମ ନାୟକ ଯୋଗ ଦେଇଥିବା ବେଳେ ଜଉକଣ୍ଢେଇ ଶିଳ୍ପୀଗୁରୁ କନକଲତା ଦାସ ଯୋଗ ଦେଇ କନ୍ୟା ସମଲେଇଙ୍କୁ ଆଶିର୍ବାଦ କରିଥିଲେ ।
କୋଭିଡ ୧୯ ଓ ୟଶ୍ ବାତ୍ୟା ଜନିତ ସଂକଟ ପାଇଁ ଜଉକଣ୍ଢେଇ ବାହାଘର ଉତ୍ସବ କମିଟିର କର୍ମକର୍ତ୍ତା ଉପସ୍ଥିତ ହୋଇ ପାରି ନଥିଲେ ସୁଦ୍ଧା ସଭାପତି ସୁବାସିନୀ ଜେନା, ଉପସଭାପତି ଅଞ୍ଜଳି ପଣ୍ଡା, କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ରନାଥ ପାତ୍ର ସଂପାଦକ ଡ କୁମାର ଗୋପାଳ, ସହ ସଂପାଦନ ରଘୁନାଥ ଲେଙ୍କା, କୋଷାଧ୍ୟକ୍ଷ ବ୍ୟୋମନାଥ ରଥ, ରାଜେଶ ଗିରି, ଇଂ ହୃଶିକେଷ ସାହୁ, ବ୍ରହ୍ମନାଥ ରଥ, ଜୟଶ୍ରୀ ସାହୁ, ମନୋସ୍ବିନୀ ଦେବୀ, ସୁଶାନ୍ତ କୁମାର ଦାସ, ସନ୍ତୋଷ କୁମାର ବିଶ୍ବାଳ ପ୍ରମୁଖ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆବାହକ ଶିଳ୍ପୀ କେଶୁଦାସ ସୁଚାରୁରୂପେ ତୁଳାଇ ଥିଲେ ।